ଭୁବନେଶ୍ୱର, ୭ ।୮(ଓଡ଼ିଶାମେଲ): ରାଜ୍ୟରେ କରୋନା ସ୍ଥିତି ବିସ୍ଫୋରକ ରୂପ ଧାରଣ କଲାଣି । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ଶୁକ୍ରବାର ୧୮୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ରେକର୍ଡ କରିଛି । ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ଆକ୍ରାନ୍ତ ଅଛନ୍ତି ଖୋର୍ଦ୍ଦା ଜିଲାରେ । ଏହି ଜିଲାରେ ୨୯୮ ଜଣ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଗଞ୍ଜାମ ଜିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ରେକର୍ଡ କରିଥିବା ବେଳେ ଶୁକ୍ରବାର ଏହି ସଂଖ୍ୟା ସାମାନ୍ୟ କମିଛି । ଗଞ୍ଜାମ ଜିଲାରୁ ୨୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଖୋର୍ଦ୍ଦା ଜିଲା ଗଞ୍ଜାମ ଜିଲାକୁ ଟପିଯାଇଛି । ଶୁକ୍ରବାର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମ ଜିଲାରେ ମୋଟ୍‍ ୧୨୩୫୯ ଜଣ କରୋନା ପଜିଟିଭ ଅଛନ୍ତି । ସେହିପରି ଖୋର୍ଦ୍ଧା ଜିଲାରେ ଏହି ସଂଖ୍ୟା ୫୮୨୮ରେ ପହଞ୍ଚିଛି । ଗଞ୍ଜାମ ଜିଲାରେ ୮୯୧୧ ଜଣ ସୁସ୍ଥ ହୋଇଥିବା ବେଳେ ୩୩୧୭ଜଣ ବିଭିନ୍ନ କୋଭିଡ ହସ୍‍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଗଞ୍ଜାମରେ ୧୨୩ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହି ଜିଲାରେ ସୁସ୍ଥ ହାର ୭୨.୧୦ % ରହିଛି । ସେହିପରି ଖୋର୍ଦ୍ଧା ଜିଲାରେ ୨୬୧୫ଜଣ ସୁସ୍ଥ ହୋଇଥିବାବେଳେ ୩୧୭୫ଜଣ ବିଭିନ୍ନ ହସ୍‍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଠାରେ ସୁସ୍ଥ ହାର ୪୪.୮୬ % ବୋଲି ଜଣାପଡିଛି । ଖୋର୍ଦ୍ଧା ଜିଲାରେ କରୋନାରେ ୩୧ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷେ ରାଜ୍ୟରେ କରୋନା ଆଉ ୧୨ଜଣଙ୍କ ମୁଣ୍ଡ ନେଇଛି । ଏମାନଙ୍କ ମଧ୍ୟରେ ସୁଦ୍ଦରଗଡ ଓ ଗଞ୍ଜାମ ଜିଲାରୁ ୩ ଜଣ ଲେଖାଏ, ଗଜପତି, ଭଦ୍ରକ, କେନ୍ଦ୍ରାପଡା ଏବଂ ସମ୍ବଲପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ମୟୂରଭଞ୍ଜ ଓ ଢେଙ୍କାନାଳରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ଉକ୍ତ ଜିଲାରେ ପ୍ରଥମ କରୋନା ମୃତ୍ୟୁ ବୋଲି ଜଣାପଡିଛି । ଫଳରେ ରାଜ୍ୟରେ ମୋଟ୍‍ ୨୪୭ଜଣ କରୋନାରେ ମୃତ୍ୟୁବରଣ କରିସାରିଲେଣି ।

LEAVE A REPLY

Please enter your comment!
Please enter your name here