ଲୋଇସିଂହା,୧୩ା୮(ଓଡ଼ିଶାମେଲ)- ଆଗକୁ ପଶ୍ଚିମ ଓଡିଶାର ଗଣ ପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଁଖାଇ ଉତ୍ସବ ପାଳିତ ହେବ । ଏଥିପାଇଁ ସବୁଆଡ଼େ ଉତ୍ସବମୁଖର ପରିସ୍ଥିତି । ମାତ୍ର କରୋନା ଯୋଗୁ ଏହି ପର୍ବକୁ ନିଜ ନିଜ ଘରେ ରହି ପାଳନ କରିବା ସହିତ କୌଣସି ପ୍ରକାର ଭେଟ୍‌ଘାଟ୍ କାର୍ଯ୍ୟକ୍ରମ କରିବାକୁ ପ୍ରଶାସନ ବାରଣ କରିଛି । ତେବେ ଏହା ପଶ୍ଚିମଓଡ଼ିଶା ବାସୀଙ୍କ ପାଇଁ ଶୁଭଙ୍କର ନୁହେଁ । ତେଣୁ ନୂଆଁଖାଇ ଉତ୍ସବକୁ କରୋନା କଟକଣାରୁ ବାଦ ଦେବାକୁ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଦର୍ଶାଇଛନ୍ତି ଯେ, ନୂଆଁଖାଇ ପଶ୍ଚିମ ଓଡିଶାର ଏକ ଗଣପର୍ବ ଅଟେ । ଏହା ଆମ ସଂସ୍କୃତି, ଐତିହ୍ୟ, ପରମ୍ପରାର ନିଦର୍ଶନ ଅଟେ । ସେଥିପାଇଁ ଏହାକୁ କରୋନା କଟକଣାରୁ ବାଦ ଦେଇ କୋଭିଡ-୧୯ କଟକଣା ଓ ମାର୍ଗଦର୍ଶିକା ଅନୁଯାୟୀ ଏହି ପର୍ବ ପାଳନ କରିବାକୁ ଅନୁମତି ଦିଆଯାଉ ବୋଲି ସେ ଦାବି କରିଛନ୍ତି । ଏହାବାଦ ରାଜ୍ୟରେ ପୋଲିସ ବିଭାଗରେ କାର୍ଯ୍ୟରତ ହୋମଗାର୍ଡମାନେ କମ ପାରିଶ୍ରମିକ ପାଉଥିବାରୁ ତାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରୁଛନ୍ତି । ବର୍ତ୍ତମାନ ସମୟରେ ସ୍ୱଳ୍ପ ଦରମାରେ ସେମାନଙ୍କ ପରିବାର ଚଲାଇବା ଓ ପିଲାଛୁଆଙ୍କ ଭବିଷ୍ୟତ ଗଠନ କରିବା କଷ୍ଟସାଧ୍ୟ ବେପାର ହୋଇପଡ଼ିଛି । କମ ଦରମା ପାଇ ସୁଦ୍ଧା ସେମାନେ ନିଷ୍ଠାବାନ ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । କେବଳ ବିଭାଗୀୟ ଦାୟିତ୍ୱ ନୁହେଁ ରାଜ୍ୟରେ ସଂଘଟିତ ପ୍ରାକୃତିକ ବିପର୍ଯ୍ୟୟ ବେଳେ ମଧ୍ୟ ନିୟୋଜିତ ହୋଇ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡ ମାସକୁ ୯ ହଜାର ଟଙ୍କା ପାଉଥିବାବେଳେ ଦେଶର ବିଭିନ୍ନ ରାଜ୍ୟର ହୋମଗାର୍ଡ ୨୦ ହଜାରୁ ଆରମ୍ଭ କରି ୩୭ ହଜାର ପାଉଥିବା ଉକ୍ତ ଚିଠିରେ ସେ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here