ଲଖନପୁର,୨୬ା୮(ଓଡ଼ିଶାମେଲ)- ସମର୍ପିତ ସେବା ମନୋଭାବ ରଖି କାର୍ଯ୍ୟ କରୁଥିବା ବନ୍ଦବାହାଲ ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର ନାୟକ ଏଥିପାଇଁ ସର୍ବଦା ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି । ଏଭଳି ସ୍ଥିତରେ ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି । ତେବେ ସରପଞ୍ଚ ନାୟକ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମାନି ନିଷ୍ଠାର ସହିତ କାର୍ଯ୍ୟ ଜାରି ରଖିଛନ୍ତି । ତାଙ୍କର ଏହି ସମର୍ପିତ ସେବା ମଧ୍ୟରେ ଗୋଟିଏ ପରେ ଗୋଟିଏ ଉଲ୍ଲେଖନୀୟ କାର୍ଯ୍ୟ କରିଚାଲିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଧୀନତା ଦିବସ ଅବସରରେ ଲଖନପୁର ବ୍ଲକ୍‌ରୁ ଏକମାତ୍ର ସରପଞ୍ଚ ଭାବେ ରାଜେନ୍ଦ୍ର ନାୟକଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସରପଞ୍ଚ ନାୟକଙ୍କୁ କାର୍ଯ୍ୟ କରିବା ପାଇଁ ଅଧିକ ଉତ୍ସାହତ କରିଛି । ଏଭଳି ମହାମାରୀ ପରିସ୍ଥିତିରେ ସେ ସୋମବାର ଛତିଶଗଡ଼ର ୭ଜଣ ଅସହାୟ ପ୍ରବାସୀ ଶ୍ରମିକଙ୍କୁ ସହଯୋଗର ହାତ ବଢ଼ାଇ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ କନକତୋରାରେ ପହଞ୍ଚାଇ ଆଉ ଏକ ପ୍ରଶଂସନୀୟ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଯାହାଫଳରେ ପ୍ରବାସୀମାନେ ବୁଧବାର ନିଜ ଗ୍ରାମରେ ପହଞ୍ଚି ପାରିଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରମିକ ମାନେ ସମ୍ବଲପୁରର ଏକ ପାନମସଲା କମ୍ପାନୀରେ କାମ କରୁଥିଲେ । କମ୍ପାନୀ ମାଳିକ ଶ୍ରମିକ ମାନଙ୍କୁ ଠିକ୍ ରେ ପାରିଶ୍ରମିକ ନ ଦେଇ ଆବଶ୍ୟକତାଠାରୁ ଅଧିକ କାମ କରାଇ ଅକଥନୀୟ ଅତ୍ୟାଚାର କରୁଥିଲେ । ଯେଉଁଥିପାଇଁ ଶ୍ରମିକମାନେ ମାଳିକଙ୍କୁ ନ ଜଣାଇ ରାତିରେ କମ୍ପାନୀରୁ ବାହାରି ଚାଲିଚାଲି ସମ୍ବଲପୁରରୁ ଛତିଶଗଡ଼ ଅଭିମୁଖେ ବାହାରିଥିଲେ । ଇତିମଧ୍ୟରେ ସେମାନେ ବନ୍ଦବାହାଲ ସ୍ଥିତ ଧନୁଯାତ୍ରା ପଡ଼ିଆରେ ବିଶ୍ରାମ ନେଇଥିବା ସମୟରେ ସ୍ଥାନୀୟ ଲୋକେ ସରପଞ୍ଚଙ୍କୁ ଖବର ଦେଇଥିଲେ । ଖବରପାଇଁ ସରପଞ୍ଚ ସେଠାରେ ପହଞ୍ଚି ସେମାନଙ୍କ ସହିତ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ପରେ ବିଡିଓ ସଞ୍ଜିବ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଶ୍ରମିକ ମାନଙ୍କୁ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ । ସେଠାରେ ସେମାନଙ୍କୁ ଖାଇବାକୁ ଦେବା ପରେ ଏକ ସ୍ୱତନ୍ତ୍ର ଗାଡ଼ିରେ କନକତୋରାରେ ପହଞ୍ଚାଇଥିଲେ । ପରେ କନକତୋରାରୁ ଶ୍ରମିକ ମାନେ ଏକ ଟ୍ରକ୍ ଯୋଗେ ଛତିଶଗଡ଼ର ପେଣ୍ଡେରା ରୋଡ଼ରେ ପହଞ୍ଚିଥିଲେ ।

LEAVE A REPLY

Please enter your comment!
Please enter your name here