ଚୋରା ଚାଲାଣ ୟୁରିଆ ସାର, ଟ୍ରଲର ଜବତ୍ ଘଟଣା
ବିଜେପୁର,୨୬।୮(ଓଡ଼ିଶାମେଲ): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଲାଉମୁଣ୍ଡା ଅଞ୍ଚଳରୁ ଚୋରା ଚାଲାଣ ହେଉଥିବା ଟ୍ରଲର ସହିତ ୟୁରିଆ ସାରକୁ କୃଷି ବିଭାଗ ସୋମବାର ଜବତ କରିଥିଲା। ଏହି ଘଟଣାଟିର ଫଇସଲା ବୁଧବାର ହୋଇ ଯାଇଛି। ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପଧାନଙ୍କ ନିର୍ଦ୍ଦେଶ କ୍ରମେ ଜବତ ୟୁରିଆ ସାରର କେହି ଦାବୀଦାର ନ ବାହାରିବାରୁ ତାକୁ ଚାଷୀଙ୍କ ମଧ୍ଯରେ ବିକ୍ରି କରାଯିବ। ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀଙ୍କ ଉପସ୍ଥିତିରେ ବୁଧବାର ବିଜେପୁର ସେବା ସମବାୟ ସମିତିରେ ୪୪୦ବସ୍ତା ଏବଂ ଲାଉମୁଣ୍ଡା ସେବା ସମବାୟ ସମିତିରେ ୨୨୫ବସ୍ତା ୟୁରିଆ ସାରକୁ ଗୋଦାମରେ ଗଚ୍ଛିତ ରଖାଯାଇଛି। ଗୁରୁବାରରୁ ଏହାକୁ ଚାଷୀଙ୍କ ମଧ୍ଯରେ ବିକ୍ରି କରାହେବ। ଉକ୍ତ ସାରର ବିକ୍ରି ଟଙ୍କା ସରକାରଙ୍କ ତହବିଲରେ ଜମା ହେବ। ସେହିପରି ସିଜି ୦୪ ଏଚକ୍ୟୁ ୮୮୦୬ ନଂ ବିଶିଷ୍ଟ ଟ୍ରଲର ଓ ଡ୍ରାଇଭରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି ବୋଲି ବ୍ଲକ କୃଷି ଅଧିକାରୀ ବିଭୁଦେନ୍ଦୁ ଦେଓ କହିଛନ୍ତି। ସୂଚନାଯୋଗ୍ୟ ଯେ ସୋମବାର ଛତିଶଗଡ଼ ରାଜ୍ଯ ସରାଇପାଲି ଅଞ୍ଚଳରୁ ଏକ ଟ୍ରଲରରେ ୬୬୫ବସ୍ତା ୟୁରିଆ ସାର ବିଜେପୁର ବ୍ଲକ ଲାଉମୁଣ୍ଡା ଅଞ୍ଚଳକୁ ଆସିଥିଲା। ହେଲେ ଉକ୍ତ ଗାଡ଼ିଟି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରଙ୍ଗଣରେ ଫସି ଯାଇଥିଲା। ଖରିଫ ଚାଷ ପାଇଁ ୟୁରିଆ ସାରର ଅଭାବ ରହିଥିବାବେଳେ ଏତେ ପରିମାଣର ୟୁରିଆ ସାର ଦେଖି ଲୋକଙ୍କ ମଧ୍ଯରେ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ଲୋକମାନେ ବ୍ଲକ କୃଷି ବିଭାଗକୁ ଅଭିଯୋଗ କରିଥିଲେ। ଫଳରେ ବିଜେପୁର ପୋଲିସର ସହାୟତାରେ କୃଷି ବିଭାଗ ଏହାକୁ ଜବତ କରି ଥାନାର ଜିମା ଦେଇଥିଲା।

LEAVE A REPLY

Please enter your comment!
Please enter your name here