ବିଜେପୁର,୩୦।୮(ଓଡ଼ିଶାମେଲ)- କରୋନା ମହାମାରୀ ଲୋକଙ୍କର ଜୀବନ ଜୀବିକାକୁ ପ୍ରଭାବିତ କରିଛି। ହେଲେ ସଂସ୍କୃତି ପରମ୍ପରା ଆଗରେ ଏହା ହାର୍ ମାନି ଯାଇଛି। ସରକାରଙ୍କ କଟକଣା ସତ୍ତ୍ବେ ନିରାଡ଼ମ୍ବର ଭାବେ ପ୍ରକୃତି ପ୍ରାଣତାର ପର୍ବ କରମା ଏକାଦଶୀ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ପୁରପଲ୍ଲୀରେ ଶନିବାର ସନ୍ଧ୍ଯାରେ ପାଳିତ ହୋଇ ଯାଇଛି। ଶୁକ୍ରବାର ସନ୍ଧ୍ଯାରେ ଯେଉଁଠି ଏହି ପୂଜା ହେବାର ରହିଥିଲା, ସେଠାରେ ପୂଜା ପାଇଁ ଜୁଆ ଜମା ଯାଇଥିଲା। ଶନିବାର ସନ୍ଧ୍ଯାରେ ପୂର୍ବରୁ ଅଣାଯାଇଥିବା କରମା ଡାଲକୁ ମାନ୍ଦଲ ଗିନିର ତାଳେତାଳେ ବରଣ କରାଯାଇ ସୁସଜ୍ଜିତ ପୂଜା ମଣ୍ଡପକୁ ଅଣାଯାଇଥିଲା। ମାନସିକଧାରୀ ବିଧିବିଧାନ ସହକାରେ ପୂଜାର୍ଚ୍ଚନା କରିଥିଲେ। ପୂଜା ପରେ ଜଣେ କାହାଣୀକାର କରମସାନୀଙ୍କ କାହାଣୀ ଶୁଣାଇଥିଲେ। କୌଣସି କାମନା ନ ରଖି ଉଚିତ କର୍ତ୍ତବ୍ଯ ସଂପାଦନ କଲେ କର୍ମର ଦେବତା ସାହାଯ୍ୟ କରନ୍ତି। ନିଜର ଉତ୍ତରୋତ୍ତର ଉନ୍ନତି ସାଧିତ ହୁଏ ବୋଲି କାହାଣୀକାର ଶ୍ରଦ୍ଧାଳୁଙ୍କୁ ବୁଝାଇଥିଲେ। ଗଛ ଯେପରି କୌଣସି ଆଶା ନ ରଖି ଫୁଲଫଳ ଓ ଛାୟା ପ୍ରଦାନ କରିଥାଏ। ତେଣୁ କରମସାନୀଙ୍କ ପ୍ରତୀକ ଭାବେ ହଲନ୍ ଗଛର ଏକ ଡାଳକୁ ପୂଜା ମଣ୍ଡପରେ ରଖି ପୂଜାର୍ଚ୍ଚନା କରିବାର ପରମ୍ପରା ପ୍ରଚଳିତ ହେଉଛି। କରୋନା କଟକଣା ପାଇଁ ନିରାଡମ୍ବର ସହକାରେ ଜଣେ ଗାୟକ ବାୟକରେ ସାରା ରାତି ମାନ୍ଦଲର ତାଳେତାଳେ ଭଜନ ଜଣାଣ କରାଯାଇଥିଲା। ରବିବାର ସକାଳୁ ଉକ୍ତ କରମାଡାଳର ପୂଜା ଥାଳିକୁ ଘରକୁ ଘର ପରିକ୍ରମା କରାଯାଇଥିଲା। ପରେ ପୋଖରୀରେ ବିସର୍ଜନ କରାଯାଇଥିଲା। ବିଜେପୁର ମାଷ୍ଟର ପଡ଼ାରେ ଅନାମୀ ମେହେର ଓ ମେହେର ମଧ୍ଯପଡାରେ କମଳ ମେହେର ରୀତିନୀତିରେ ପୂଜାର୍ଚ୍ଚନା କରିଥିଲେ।

LEAVE A REPLY

Please enter your comment!
Please enter your name here