ବଲାଙ୍ଗିର,୨୭। ୧୧ (ଓଡିଶାମେଲ): ବଲାଙ୍ଗିର ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ବଲାଙ୍ଗିର ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ଅଙ୍କିତ କୁମାର ସାହୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ନ୍ୟାସନାଲ ସେକ୍ରେଟାରୀ ତଥା ଓଡ଼ିଶା ରାଜ୍ୟ ପ୍ରଭାରୀ ରୋଶନଲାଲ ବିଟ୍ଟୁ , ସହ ପ୍ରଭାରୀ ରାହୁଲ ରାଏ, ଆଦିତ୍ୟ ଚୌଧୁରୀ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡକ୍ଟର ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଆଇନ ବିଶୃଙ୍ଖଳା ଓ ଆଇନ ଶୃଙ୍ଖଳା ଦାୟିତ୍ଵରେ ଥିବା ଅଧିକାରୀ ମାନଙ୍କ ଭୂମିକାକୁ କଡ଼ା ସମାଲୋଚନା କରାଯାଇଥିଲା । ଜିଲ୍ଲାରେ ଖୋଦ ଆଇନ ଶୃଙ୍ଖଳା ଦାୟିତ୍ଵରେ ଥିବା ଅଧିକାରୀ ମାନେ ସମସ୍ୟାକୁ ଆହୁରି ଗୁରୁତର ଆଡ଼କୁ ନେଉଛନ୍ତି । ଆନେକ ଘଟଣାରେ ଅଭିଯୋଗକାରୀଙ୍କୁ ସଲାସୁତୁରା କରିବା ପାଇଁ ପ୍ରବର୍ତ୍ତାଇବା ସହ ଭୟଭୀତ କରାଯାଉଛି । ନିକଟ ଅତୀତରେ ଜଣେ ଆୟୁଷ ଡାକ୍ତରଙ୍କ କଳାକାରନାମାରେ କରୋନା ପୀଡିତଙ୍କ ପ୍ରତି ହୋଇଥିବା ବିଚାରରେ ଖୋଦ ପୋଲିସର ଭୂମିକା ସନ୍ଦେହଜନକ । ଆହୁରି ମଧ୍ୟ ଜିଲ୍ଲାରେ ଚୋରି, ଡକାୟତି ଘଟଣାରେ ରେ ଅନେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରିନାହିଁ । ଯଦିଓ କିଛି ଘଟଣାର ଅଭିଯୁକ୍ତ ମାନଙ୍କୁ ଧରାଯାଇଛି ଡକାୟତି ହୋଇଥିବା ଧନରାଶି ସେମାନଙ୍କ ଠାରୁ ଜବତ ହୋଇପାରିନାହିଁ । ସ୍କୁଲ କଲେଜ କରୋନା କାଳରେ ବନ୍ଦ ଥିବା ଯୋଗୁଁ ସ୍କୁଲ ତଥା ଆଖପାଖ ଅଞ୍ଚଳରେ ଅସାମାଜିକ ବ୍ୟକ୍ତି ମାନେ ନିଶା କାରବାର ଚଳାଉଛନ୍ତି । ଜିଲ୍ଲାରେ ପୋଲିସର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଅସାମାଜିକ ବ୍ୟକ୍ତି ମାନେ ପୋଲିସକୁ ଆଉ ଖାତିର କରୁନାହାନ୍ତି । ତେଣୁ ଜିଲ୍ଲାରେ ଭୁଷୁଡି ଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ଆଜି ଏହି କାର୍ଯ୍ୟକ୍ରମ କରାଯାଇଛି ବୋଲି ଜିଲ୍ଲା ସଭାପତି ଅଙ୍କିତ କୁମାର ସାହୁ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦାବି ରଖାଯାଇଥିଲା ଯଥା ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର କରି ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ବେଆଇନ ଔଷଧ ତଥା ନିଶା କାରବାରରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡ୍ରଗ ନିରୀକ୍ଷକ ଏବଂ ପୋଲିସର ଏକ ମିଳିତ ଟିମ ଗଠନ କରି ଏସବୁ କାରବାରକୁ ଦମନ କରାଯାଉ । ସନ୍ଧ୍ୟା କାଳୀନ ପୋଲିସ ପେଟ୍ରୋଲିଂକୁ ସହର ତଥା ଗ୍ରାମାଞ୍ଚଳରେ କଡାକଡି କରାଯାଉ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ତେବେ ଯଦି ଉପରୋକ୍ତ ଦାବି ଗୁଡ଼ିକ ଶୀଘ୍ର ପୁରାଣ ନ ହୁଏ ତାହେଲେ ଆଗାମୀ ଦିନ ରେ ଏହାର ପ୍ରତିବାଦରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି କମିଟି ପ୍ରତିକ୍ରିୟା ପ୍ରକାଶ କରିଛି ।
ରିପୋର୍ଟ: ବିରେନ ନାଗ

LEAVE A REPLY

Please enter your comment!
Please enter your name here