ଭୁବନେଶ୍ୱର, ୫।୧୨(ଓଡ଼ିଶାମେଲ): କେନ୍ଦ୍ର ସରକାର ଦେଶର ବିଭିନ୍ନ ସ୍ଥାନରେ “ସି ପ୍ଲେନ୍‌’ ଚଳାଚଳ ପାଇଁ ତାଲିକା ପ୍ରସ୍ତୁତ କରିଥିବା ବେଳେ ଓଡ଼ିଶା ଏଥିରୁ ବାଦ୍‌ ପଡ଼ିଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟ ପକ୍ଷରୁ ଏସ୍‌ପିଭି ଜରିଆରେ ଆଗ୍ରହୀ ବିମାନ କମ୍ପାନୀଙ୍କୁ ନେଇ ନିର୍ଦ୍ଦିଷ୍ଟ କେତେକ ପଥରେ ଏହା ଚଳାଚଳ ପାଇଁ ପଦକ୍ଷେପ ନିଆଯାଉଛି । ପର୍ଯ୍ୟଟନ ବିଶେଷଜ୍ଞମାନେ ରାଜ୍ୟର ତିନିଟି ରୁଟ୍‌ ଭୁବନେଶ୍ୱରରୁ ପୁରୀ ଭାୟା ଚିଲିକା, ଭୁବନେଶ୍ୱରରୁ ଚାନ୍ଦିପୁର ଭାୟା ଭିତରକନିକା ଅଭୟାରଣ୍ୟ ଏବଂ ଭୁବନେଶ୍ୱରରୁ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ସି ପ୍ଲେନ ଚଳାଚଳ ସପକ୍ଷରେ ମତ ଦେଉଛନ୍ତି । ଏହା ଉଭୟ ବ୍ୟାବସାୟିକ ଓ ପର୍ଯ୍ୟଟନ ପାଇଁ ଲାଭଦାୟକ ହେବ । ହବ୍‌ ଆଣ୍ଡ ସ୍ପୋକ୍‌ ମଡେଲରେ ଚଳାଚଳ କରିବାକୁ ଥିବା ସି ପ୍ଲେନ ତାଲିକାରେ ଏହି ରୁଟ୍‌ ସ୍ଥାନ ପାଇନାହିଁ । ତାଲିକାରେ ଆଣ୍ଡାମାନ ନିକୋବର ଏବଂ ଲକ୍ଷାଦ୍ୱୀପ, ଗୋହ୍ୱାଟି ନଦୀମୁହାଣ ଏବଂ ଆସାମର ଉମ୍‌ରାନ୍‌ସୋ ଜଳଭଣ୍ଡାର, ଅଯୋଦ୍ଧା ପାଇଁ ଦିଲ୍ଲୀର ଯମୁନା ନଦୀ, ଉତ୍ତରାଖଣ୍ଡର ତେହେରୀ, ଶ୍ରୀନଗରଏବଂ ପଞ୍ଜାବ ଓ ହିମାଚଳପ୍ରଦେଶର ଅନେକ ପର୍ଯ୍ୟଟନସ୍ଥଳୀ ରହିଛି । ଅନୁରୂପ ଭାବେ ଶିରିଡ଼ି, ଲୋନାୱାଲା, ଗଣପତିପୁଲେ ଯିବା ପାଇଁ ମୁମ୍ବାଇକୁ ହବ୍‌ ଭାବେ ଚିହ୍ନଟ କରାଯାଇଥିବାବଳେ ଦ୍ୱାରକା, ମାଣ୍ଡଭି ଏବଂ କାଣ୍ଡାଲା ପାଇଁ ସୁରଟକୁ ହବ୍‌ ଭାବେ ଚିହ୍ନଟ ହୋଇଛି । ସେହିଭଳି ମହାରାଷ୍ଟ୍ରର ନାଗପୁର ଏବଂ ଇରାଇ ଡ୍ୟାମ୍‌, ଚନ୍ଦ୍ରପୁର ଆଦିକୁ ସି-ପ୍ଲେନ ଚଳାଚଳ ପାଇଁ ତାଲିକାଭୁକ୍ତ କରାଯାଇଛି । ମନ୍ତ୍ରାଳୟ ନିୟନ୍ତ୍ରଣରେ ଥିବା ସାଗରମାଳା ଡେଭଲପମେଣ୍ଟ କମ୍ପାନୀ ଲିମିଟେଡ (ଏସ୍‌ଡିସିଏଲ୍‌) ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ବର୍ତ୍ତମାନ ଏଭଳି ସିପ୍ଲେନ ଅହମ୍ମଦାବାଦର କେଭାଡିଆ ଓ ସାବରମତି ମଧ୍ୟରେ ଚଳାଚଳ କରୁଛି । ଯାହାକୁ ଗତ ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here