ବଲାଙ୍ଗିର,୧୫।୧(ଓଡିଶାମେଲ): ପୁଣି ରକ୍ତ ରଞ୍ଜିତ ହେବ ସୁଲିଆ । ବଳି ପଡିବେ ଶହ ଶହ ନିରୀହ ଜୀବ । ସୁଲିଆ ପୂଜାର ପ୍ରସ୍ତୁତିକୁ ନେଇ ଆଜି ବଲାଙ୍ଗିର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି ବୈଠକରେ ଖଇରଗୁଡ଼ା ସୁଲିଆ ପୂଜା କମିଟି, ମିର୍ଦ୍ଧାପାଲି ସୁଲିଆ ପୂଜା କମିଟି, ସୁଲିଆର ପୂଜକ ସ୍ଥାନୀୟ ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ଏବଂ ଅଗ୍ନିଶମ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରତିବର୍ଷ ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାରରେ ସୁଲିଆ ପୂଜା ଅନୁଷ୍ଠିତ ହୁଏ । ଚଳିତ ବର୍ଷ ଏହା ଆସନ୍ତା ୧୯ ତାରିଖରେ ପଡୁଥିବାରୁ ଆଜି ଏହାର ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । କରୋନା କଟକଣା ମଧ୍ୟରେ ଭକ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଶାନ୍ତିପୂର୍ଣ୍ଣ ଭାବେ କିଭଳି ସୁଲିଆ ଯାତ୍ରା ସମ୍ପର୍ଣ୍ଣ ହେବ ସେ ନେଇ ଆଲୋଚନା ହୋଇଥିଲା । ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ସୁଲିଆରେ ଭକ୍ତଙ୍କ ଆଗମନ ସମୟରେ ବିଭିନ୍ନ ବ୍ୟବସ୍ଥା କରାଯିବ । ସୁଲିଆ ପୂଜା ପୂର୍ବରୁ ଭକ୍ତ ମାନଙ୍କୁ ଯାତ୍ରା ସମୟରେ କୋଭିଡ ଗାଇଡଲାଇନ ପାଳନ କରିବା ପାଇଁ ଡାକବାଜ ଯନ୍ତ୍ର ଯୋଗେ ପ୍ରଚାର କରି ସଚେତନତା କରାଯିବ । ଭକ୍ତଙ୍କ ମାସ୍କ୍ ପିନ୍ଧିବା ,ସାମାଜିକ ଦୂରତା ରକ୍ଷା କରିବା, ବିଭିନ୍ନ ସ୍ଥାନରେ ପାଣି ଟାଙ୍କି ର ବ୍ୟବସ୍ଥା କରିବା ଏବଂ ଅସ୍ଥାୟୀ ଭାବେ କିଛି ଶୌଚାଳୟର ବ୍ୟବସ୍ଥା କରିବାକୁ ଉପଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ଆଦେଶ ଦେଇଥିଲେ । ତେବେ ବଳି ପ୍ରସଙ୍ଗରେ କିନ୍ତୁ ସୁଲିଆ ପୂଜା କମିଟି ଏବଂ ପ୍ରଶାସନ ମୁହାଁମୁହିଁ ହୋଇଥିଲେ । ମାନସିକଧାରୀ ମାନେ ମାନସିକ ପୂରଣ ପାଇଁ ଯେତେ ସଂଖ୍ୟାରେ ବଳି ଆଣିଲେ ମଧ୍ୟ ଆମେ ତାକୁ ମନା କରିପାରିବୁ ନାହିଁ ବୋଲି ସୁଲିଆ ପୂଜା କମିଟିର ସଭାପତି ମୟ ପଧାନି କହିଥିଲେ । ସୁଲିଆ ଯାତ୍ରା ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ଯାତ୍ରା ହୋଇଥିବାରୁ ପ୍ରତିବର୍ଷ ଶହ ଶହ ଭକ୍ତଙ୍କ ଆଗମନ ହୋଇଥାଏ । ତେବେ ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଯାତ୍ରା କରିବାକୁ ପରାମର୍ଶ ଦେବା ସହିତ କେବଳ ବିଧିରକ୍ଷା ପାଇଁ ଯେପରି କମ୍ ସଂଖ୍ୟାରେ ବଳି ପଡିବ ସେ ବିଷୟରେ ଧ୍ୟାନ ଦେବୁ ବୋଲି ଉପଜିଲ୍ଲାପାଳ କହିଥିଲେ।
ରିପୋର୍ଟ: ବିରେନ ନାଗ

LEAVE A REPLY

Please enter your comment!
Please enter your name here