ବରଗଡ/ବଲାଙ୍ଗୀର,୩ ।୨(ଓଡ଼ିଶାମେଲ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ନୃସିଂହନାଥ ଓ ହରିଶଙ୍କର ପୀଠର ବିକାଶ କରାଯିବ । ଏଠାରେ ପର୍ଯ୍ୟଟନର ବିକାଶ ପାଇଁ ଶୀଘ୍ର ଏକ ବିଶେଷଜ୍ଞ ଦଳ ଆସି ଅନୁଧ୍ୟାନ କରିବେ । ନୃସିଂହନାଥ-ହରିଶଙ୍କର ରୋପୱେ, ନୃସିଂହନାଥ ରାସ୍ତାର ପ୍ରଶସ୍ତୀକରଣ, ପିକ୍‍ନିକ୍‍ ସ୍ପଟ୍‍ ନିର୍ମାଣ ଏବଂ ଯାତ୍ରୀମାନଙ୍କ ରାତ୍ରି ରହଣୀ ନିମନ୍ତେ ଧର୍ମଶାଳା ନିର୍ମାଣ କରାଯିବ । ଆଜି ଏଭଳି ସୂଚନା ଦେଇଛନ୍ତି ବରଗଡ଼ ଓ ବଲାଙ୍ଗୀର ଗସ୍ତରେ ଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ମୁଖ୍ୟ ଶାସନ ସଚିବ ମହାପାତ୍ରଙ୍କ ସମେତ ୫ଟି ସଚିବ ଭି.କେ ପାଣ୍ଡିଆନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ବୁଧବାର ପୂର୍ବାହ୍ନ ୧୦ଟାରେ ବରଗଡ଼ ଜିଲା ପଦ୍ମପୁର ନିକଟ ସତୀଭଟା ଏୟାର ଷ୍ଟ୍ରିପରେ ଓହ୍ଲାଇଥିଲେ । ସେଠାରୁ ସେମାନେ ପ୍ରଥମେ ପାଇକମାଳ ବ୍ଲକର ନୃସିଂହନାଥ ପୀଠକୁ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଥିଲେ । ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମନ୍ଦିର ପରିସରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମ ଉପରେ ସୂଚନା ଦେଇଥିଲେ । ଏହାପରେ ସେମାନେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକର ହରିଶଙ୍କର ପୀଠକୁ ଯାଇ ସେଠାରେ ଉନ୍ନୟନ କାମର ସୀମକ୍ଷା କରିଥିଲେ । ଉଭୟ ନୃସିଂହନାଥ ଏବଂ ହରିଶଙ୍କର ପୀଠର ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏଠାକୁ ପଠାଇଥିବା ମୁଖ୍ୟ ଶାସନ ସଚିବ ମହାପାତ୍ର ସାମ୍ବାଦିକମାନଙ୍କୁ କହିଥିଲେ ।

LEAVE A REPLY

Please enter your comment!
Please enter your name here