ବଲାଙ୍ଗିର,୨୦।୨(ଓଡିଶାମେଲ): ପ୍ରଥମେ ସୂର୍ଯ୍ୟନଗର ଆଉ ଏବେ ବ୍ରାହ୍ମଣ ପଡା । ସରକାରୀ ଜମିରେ ଗଢ଼ିଉଠିଥିବା ବସ୍ତିଗୁଡିକୁ ଗୋଟି ଗୋଟି କରି ଉଚ୍ଛେଦ କରିବାରେ ଲାଗିଛି ବଲାଙ୍ଗୀର ପ୍ରଶାସନ । ଆଉ ଏମିତିରେ ବାସହରା ହେଉଛନ୍ତି ଗରିବ ଭୂମିହୀନ ପରିବାର । ସ୍ଥାୟୀ ଜମି ଓ ବାସଗୃହ ଦାବିରେ ଆଜି ଜିଲ୍ଲାପାଳଙ୍କ ବାସଭବନ ଘେରାଉ କରିଛନ୍ତି ବଲାଙ୍ଗିର ମ୍ୟୁନିସିପାଲଟି ଅନ୍ତର୍ଗତ ୱାର୍ଡ ନଂ ୮ ବ୍ରାହ୍ମଣପଡା ସ୍ଥିତ ବରଫ ମିଲ ଗଳି ବସ୍ତିର ବାସିନ୍ଦାମାନେ । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଏମାନେ ଏହି ବସ୍ତିରେ ବାସ କରିଆସୁଥିବା ବେଳେ ଗତକାଲି ହଠାତ୍ ପୌର ପ୍ରଶାସନ ପକ୍ଷରୁ ଏହି ବସ୍ତି ଖାଲି କରିବା ପାଇଁ ନୋଟିସ ଆସିଥିଲା । ସୋମବାର ଦିନ ଏହି ବସ୍ତିରେ ଜବରଦଖଲ ଉଚ୍ଛେଦ କରାଯିବାକୁ ଥିବାବେଳେ ଆଜି ବସ୍ତିବାସିନ୍ଦାଙ୍କୁ ଘର ଖାଲି କରିବା ପାଇଁ ଏକ ମାଇକ ଯୋଗେ ପ୍ରଚାର କରି ଜଣାଇଦିଆଗଲା । ପୂର୍ବରୁ ସର୍ଭେ କରାଯିବା ସମୟରେ ଜବରଦଖଲ ଉଚ୍ଛେଦ ସମୟରେ ଯାହାର ଘର ଭଙ୍ଗିବ ତାକୁ ଜମି ଓ ଘର ଯୋଗାଇଦିଆଯିବ ବୋଲି ପ୍ରତିଶୃତି ମିଳିଥିଲା । କିନ୍ତୁ ଘର ତ ଦୂରର କଥା ଜମି ଖଣ୍ଡେ ପାଇଁ ବି ବ୍ୟବସ୍ଥା କରାଯାଇନାହିଁ ବୋଲି ଜିଲ୍ଲାପାଳଙ୍କ ବାସଭବନ ଘେରାଉ କରିବାକୁ ଆସିଥିବା ମହିଳା ମାନେ କହିଛନ୍ତି । ବଲାଙ୍ଗିର ସହରରେ ବର୍ତ୍ତମାନ ଘରଭଡ଼ା ୫୦୦୦ ଟଙ୍କାରୁ ଉର୍ଦ୍ଧ୍ବ। ଆମକୁ ବାସଚ୍ୟୁତ କଲାପରେ ଆମେ ରହିବୁ କେଉଁଠି ବୋଲି ବରଫ ଗଲି ବସ୍ତି ବାସିନ୍ଦା ପ୍ରଶ୍ନ କରିଛନ୍ତି । ପ୍ରଥମେ ଆମକୁ ଥଇଥାନ କରାଯାଉ ପରେ ଜବରଦଖଲ କରାଯିବ ବୋଲି ବସ୍ତିବାସିନ୍ଦା ଦାବି କରିଛନ୍ତି। ଯଦି ଦାବି ପୂରଣ ନ ହୁଏ ତାହେଲେ ପରିଣାମ ଭୟାଭୟ ହେବ ବୋଲି ବସ୍ତିବାସିନ୍ଦା କହିଛନ୍ତି ।

LEAVE A REPLY

Please enter your comment!
Please enter your name here