ଝାରସୁଗୁଡା ଅଫିସ୍ ୧୬।୭(ଓଡିଶାମେଲ): ଝାରସୁଗୁଡା ବେହେରାମାଲ ସ୍ଥିତ ମୁଡିମିଲ୍ ଗଳିରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହକୁ ପୋଲିସ୍ ଶୁକ୍ରବାର ଜବତ କରିଛି । ମୃତ ଯୁବକ ଜଣଙ୍କ ହେଲେ ସ୍ଥାନୀୟ ମଙ୍ଗଳ ବଜାର ମୁଙ୍ଗାପଡ଼ାର ବିପିନ ସା(୩୨) । ତାଙ୍କ ନିକଟରୁ ପୋଲିସ୍ ୭୪ ହଜାର ଟଙ୍କା, ମନିପର୍ସ, ଏଟିଏମ୍, ଡ୍ରାଇଭିଂ ଲାଇସେନ୍ସ ଓ ମୋବାଇଲ ଆଦି ଜବତ କରାଯାଇଛି । ଏ ନେଇ ପୋଲିସ ଝାରସୁଗୁଡା ସଦର ଥାନାରେ ଏକ ହତ୍ୟା ମାମଲା (ନଂ.୧୨୮/୨୧) ରୁଜୁ କରି ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରି ଫେରିଛି । ମୃତ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ରରେ ହଣା ଯାଇଥିବା କ୍ଷତଚିହ୍ନ ଦେଖିବାକୁ ମିଳିଛି । ଦୁର୍ବୃତ୍ତ ମାନେ ଯୁବକଙ୍କୁ ହତ୍ୟାକରି ଫେରାର ହୋଇଯାଇଛନ୍ତି । ଖବର ପାଇ ଏସପି ବିକାଶ ଚନ୍ଦ୍ର ଦାସ, ଏସଡିପିଓ ନିର୍ମଳ ମହାପାତ୍ର ପ୍ରମୁଖ ପୋଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ଏ ନେଇ ଏସପି ଦାସ କହିଛନ୍ତି, ଯୁବକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ସମୟରେ ସେ ତାର ପ୍ରତିରୋଧ କରିଛନ୍ତି । ଫଳରେ ସେମାନେ ତାଙ୍କୁ ବାରମ୍ବାର ଆକ୍ରମଣ କରିଛନ୍ତି । ଯଦି ଦୁର୍ବୃତ୍ତ ମାନେ ଯୁବକଙ୍କ ନିକଟରୁ ଟଙ୍କା ଲୁଟ୍ ପାଇଁ ଏଭଳି କରିଥାନ୍ତେ ତାହାଲେ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥାନ୍ତେ । ହେଲେ ଯୁବକଙ୍କୁ ହତ୍ୟା କଲାପରେ ତାଙ୍କ ନିକଟରେ ମୋଟା ଅଙ୍କର ଟଙ୍କା ରହିଛି । ଏଥିରୁ ପୋଲିସ୍ ସନ୍ଦେହ କରୁଛି ହତ୍ଯାକାଣ୍ଡ ପଛରେ ଆଉ କିଛି କାରଣ ରହିଛି । ଏ ନେଇ ପୋଲିସ ତଦନ୍ତ ଜାରି ରହିଛି ବୋଲି ଏସପି ଦାସ କହିଛନ୍ତି । ସୂଚନାଯୋଗ୍ୟ, ପ୍ରାତଃ ଭ୍ରମଣ ଲୋକ ବାହାରିଥିବା ବେଳେ ରାସ୍ତାରେ ଏକ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖି ପୋଲିସକୁ ଜଣାଇଥିଲେ । ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ।

LEAVE A REPLY

Please enter your comment!
Please enter your name here