ଅମ୍ବାଭୋନା,୧୭।୭(ଓଡ଼ିଶାମେଲ)-ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେପିର ଏକ ନେତୃମଣ୍ଡଳୀ ଏବଂ କାର୍ଯ୍ୟକର୍ତ୍ତା ମାନେ ବିଦ୍ୟୁତ ଦରବୃଦ୍ଧିକୁ ହ୍ରାସ କରିବା ଏବଂ ନିରବଛିନ୍ନ ଭାବେ ବିଦ୍ୟୁତ ଯୋଗାଇବା ଦାବିରେ ଅମ୍ବାଭୋନା ବ୍ଲକର ଭୁକ୍ତା ଠାରେ ଥିବା ବିଦ୍ୟୁତ ବିଭାଗର ଅମ୍ବାଭୋନା ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। କରୋନା ସମୟରେ ରାଜ୍ୟ ସରକାର ବିଦ୍ୟୁତ ବିଲ ବୃଦ୍ଧି କରିବା ବୋଝ ଉପରେ ନଳିତା ବିଡା ସଦୃଶ । ଏପ୍ରିଲ ୪, ୨୦୨୧ ରୁ ରାଜ୍ୟ ସରକାର ବିଦ୍ୟୁତ ବିଲରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ନୀରିହ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି । ସେବା କମ ଟିକସ ଅଧିକ ନୀତି ଆପଣେଇବା ଅତ୍ୟନ୍ତ ଦୁଃଖଦ ଏବଂ ନିନ୍ଦନୀୟ ତଥା ଦୁର୍ଭାଗ୍ୟଜନକ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଆଚାର୍ଯ୍ୟ କହିଛନ୍ତି । ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ହଜାର ହଜାର କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଓଡିଶାକୁ ପ୍ରଦାନ କରାଇଯାଇଛି । କିନ୍ତୁ ରାଜ୍ୟ ସରକାର ଭିତ୍ତିଭୂମିକୁ ସୁଦୃଢ ନ କରି ଏହି ଅର୍ଥକୁ ହରିଲୁଟ କରିଛନ୍ତି । ସମଗ୍ର ରାଜ୍ୟରେ ଛାତ୍ରଛାତ୍ରୀ, ଯୁବସମାଜ, ଚାଷୀ ଓ ନୂଆ ଉଦ୍ୟୋଗୀ କଷ୍ଟରେ ଅଛନ୍ତି । ବିଶେଷ କରି ଚାଷୀ ମାନେ କିପରି ସୁବିଧାରେ ଜମି ଜଳସଚେନ ସୁବିଧା ପାଇବେ ଏଥିପାଇଁ ସରକାର ବିଶେଷ ଧ୍ୟାନ ଦେବା ଉଚିତ । ଗଭୀର ନଳକୂପ ଖନନ କରାହୋଇଥିଲେ ମଧ୍ୟ ବହୁ ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇନାହିଁ । ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ଯୁତ ଖୁଣ୍ଟ ପୋତା ସହ ତାର ମଧ୍ୟ ଟଣା ହୋଇଛି ହେଲେ ବିଦ୍ୟୁତ ସଂଯୋଗ ନ ହୋଇ ସୁଦ୍ଧା ଲକ୍ଷ ଲକ୍ଷ ଟଙ୍କାର ବିଲ ଆସୁଛି । ଏହାକୁ ରାଜ୍ୟ ସରକାର ତୁରନ୍ତ ସମାଧାନ କରୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ଆଜିର ଏହି ପ୍ରତିନିଧି ମଣ୍ଡଳରେ ବରିଷ୍ଠ ନେତା ଗୁନାରୁ ପ୍ରଧାନ, ତାରଚନ୍ଦ ପଟେଲ, ସଂକ୍ରାଜିତ ସାହୁ, ପୁରୁଷୋତ୍ତମ ପାତିକାର, ଶିବ ଡ଼ନସନା, ରମେଶ ନାୟକ ତଥା ଅନେକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here