ସୋହେଲା, ୧୭।୭(ଓଡିଶାମେଲ): ଶନିବାର ସୋନପୁରରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ୨ଟି ଗଞ୍ଜେଇ ବୋଝେଇ କାର୍‌କୁ ବରଗଡ଼ ଜିଲା ସୋହେଲା ପୋଲିସ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୨୩୩ କି.ଗ୍ରା ହେବ। ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ରାଜ୍ୟ ଧନ୍ତରୀ ଜଲା କୁରୁଡ଼ ଥାନା ଡର୍ବା ଗ୍ରାମର ହେମରାଜ ନିଶାଦ(୨୩), କଙ୍କେର ଜିଲା ଚାର୍ମା ଗ୍ରାମର ସଞ୍ଜୟ ତ୍ରିପାଠୀ(୨୪), ଅଜୟ ତ୍ରିପାଠୀ(୩୦) ଏବଂ ଗୌରବ ଖପାର୍ଡ଼େ(୨୬)। ସେମାନଙ୍କ ପାଖରୁ ଗଞ୍ଜେଇ ବୋଝେଇ ୨ଟି କାର୍‌ (ନଂ.ସିଜି୦୪ଏନଏଚ/୯୯୯୮ ଓ ନଂ.ସିଜି୦୪ଏଲଡି/୫୬୬୫), ୬ଟି ମୋବାଇଲ, ୧୩ହଜାର ୧୨୦ଟଙ୍କା, ଆଧାର କାର୍ଡ଼ ଆଦି ଜବତ କରାଯାଇଛି। ଏ ନେଇ ସୋହେଲା ଥାନାରେ ଏକ ମାମଲା (ନଂ.୧୨୪/୨୧) ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଶନିବାର ସୋହେଲା କୋର୍ଟକୁ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ କାର୍‌ ସମ୍ମୁଖ କାଚରେ ପ୍ରେସ୍‌ ଲେଖି ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଶନିବାର ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ରାହୁଲ ଜୈନ ସୂଚନା ଦେଇଛନ୍ତି । ଖବରଦାତା ସମ୍ମିଳନୀରେ ପଦ୍ମପୁର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here