ଜଳଜୀବନ ମିଶନ ଯୋଜନାରେ ରାଜ୍ୟ ସରକାର ବାହାବା ନେଉଛନ୍ତି: କୁସୁମ
ସୁନ୍ଦରଗଡ, ୨୦ ।୭ (ଓଡ଼ିଶାମେଲ): କେନ୍ଦ୍ର ସରକାରଙ୍କ ଜଳଜୀବନ ମିଶନ ଯୋଜନାରେ ୨୦୨୪ ମସିହା ସୁଦ୍ଧା ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଓଡିଶାକୁ ୩ଲକ୍ଷ ୩୨୩ କୋଟି ଟଙ୍କାର ଅନୁଦାନ ମିଳିଛି । ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଗାଦିରେ ବସି ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲା ସମେତ ଓଡିଶାର ପ୍ରତିପରିବାରକୁ ପିଇବା ପାଣିର ସୁବ୍ୟବସ୍ଥା କରିପାରି ନାହାନ୍ତି । କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରତିବର୍ଷ ଓଡିଶାକୁ ଦେଉଥିବା ହଜାର ହଜାର କୋଟି ଟଙ୍କାକୁ ବିଜେଡି ତଥା ରାଜ୍ୟ ସରକାର ନିଜ ଯୋଜନାରେ ନାମିତ କରି ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି ମଙ୍ଗଳବାର ସନ୍ଧ୍ୟାରେ ଭାଜପା ଜିଲା କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଓ ଜିଲା ଭାଜପା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଜଳଜୀବନ ମିଶନ ଯୋଜନାରେ ସୁନ୍ଦରଗଡ ତଥା ରାଜ୍ୟକୁ ବିଶୁଦ୍ଧ ପାନୀୟ ଜଳ ପ୍ରତ୍ୟେକ ଘରକୁ ଯୋଗାଇ ଦେବା ପାଇଁ ଅନୁଦାନ ଦେଇଥିବାରୁ ବିଧାୟିକା ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ରାଜ୍ୟ ସରକାରଙ୍କ ଏଭଳି ଭାବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ଯୋଜନାରେ ସାମିଲ କରି ବାହାବା ନେଉଥିବାରୁ ବିଧାୟିକା ଟେଟେ ଦୃଢ ନିନ୍ଦା କରିଥିଲେ । ଆଗାମୀ ଦିନରେ ଭାଜପା କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ସେ କହିଛନ୍ତି । ଗତବର୍ଷ ଓ ଚଳିତ ବର୍ଷ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଓ ରାଉରକେଲାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏଥି ମଧ୍ୟରୁ ଅଧିକାଂଶ ପ୍ରକଳ୍ପ ଜିଲା ଖଣିଜ ପାଣ୍ଠି ଟଙ୍କା ବିନିଯୋଗ କରାଯାଇଛି । ହେଲେ ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି ସାଂସଦ, ବିଧାୟିକା, ବିଧାୟକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବା ଦୂରର କଥା ଏପରିକି ନାମ ଫଳକରେ ମଧ୍ୟ ତାଙ୍କର ନାମ ଦିଆଯାଇନାହିଁ । ଦୀର୍ଘ ୨୫ ବର୍ଷ ହେଲା ହେମଗିରବାସୀଙ୍କ ବାଙ୍କୀ ବାହାଲ–ଟପରିଆ ରାସ୍ତା ନିର୍ମାଣ ଦାବି ନେଇ ବିଧାୟିକାଙ୍କ ନେତୃତ୍ୱରେ ଅଂଚଳବାସୀ ବିଧାନସଭା ସମ୍ମୁଖରେ ବିକ୍ଷୋଭ, ଧାରଣା ପରେ ରାଜ୍ୟ ସରକାର ଜିଲା ଖଣିଜ ପାଣ୍ଠିରୁ ଏହି ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁୁର କରିଛନ୍ତି । ହେଲେ ଶାସକ ବିଜେଡି ଦଳ ଏହାକୁ ନେଇ ନିଜର ଡିଣ୍ଡିମ ପିଟି ହୀନ ରାଜନୀତି କରୁଛନ୍ତି ବୋଲି ବିଧାୟିକା ପ୍ରକାଶ କରିଥିଲେ । ଏହି ଖବରଦାତା ସମ୍ମିଳନୀରେ ଜିଲା ସାଧାରଣ ସଂପାଦକ ଅମୀର ନାଏକ, ଯଶୋବନ୍ତ ନାଏକ, ଜିଲା ସ୍ୱଚ୍ଛ ଭାରତ ସଂଯୋଜକ ସୁରେନ୍ଦ୍ର ସ୍ୱର୍ଣ୍ଣକାର, ରାଜ୍ୟ ଯୁବମୋର୍ଚ୍ଚା ପଦାଧିକାରୀ ଅଂଶୁଲ ପଟେଲ, ଶିଶିର ରାଉତରାୟ, ଭବାନୀ ଶଙ୍କର ପଟେଲ, ଶଙ୍କର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here