ସୁନ୍ଦରଗଡ, ୨୧।୭ (ଓଡିଶାମେଲ): ଟାଙ୍ଗରପାଲି ବ୍ଲକ ଯୋଗୀମାଲ ଗ୍ରାମର ସ୍ଥାୟୀ ବାସିନ୍ଦା ଅନାଥ ଯୁବକ କିଶୋର ବେହେରା ଓ ସାନ ଭାଇ ସୁମିତ ବେହେରା ତାଙ୍କ ଅଜା କୁଳମଣି ଧୂରୁଆ ଓ ଆଈ ଏତି ଧୂରୁଆଙ୍କ ପାଖରେ ରୁହନ୍ତି । ସେମାନେ ଅତି ଗରିବ ଓ ଦାରିଦ୍ର‌ ସୀମାରେଖା ତଳେ ରହିଛନ୍ତି । କିଶୋର ବେହେରା ଗାଁରେ ମଜୁରୀ କାମ କରନ୍ତି । ଗତ ଜୁନ ମାସ ୧୨ ତାରିଖ ଦିନ କିଶୋରଙ୍କୁ ଯୋଗୀମାଲ ଠାରେ ଏକ ଅଜଣା ବୋଲେରୋ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ କିଶୋରଙ୍କ ମୁଣ୍ଡରେ ଓ ଦୁଇ ଗୋଡ଼ରେ ଗଭୀର ରୂପେ ଆଘାତ ଲାଗିଛି । ଦୁର୍ଘଟଣା ବିଷୟରେ ସ୍ଥାନୀୟ ଲୋକେ ଭସ୍ମା ଥାନା ଓ କିଶୋରର ଆଈ ଅଜାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଆସି କିଶୋରଙ୍କୁ ଚିକିତ୍ସା ପାଇଁ ତାର ଆଇ ଅଜା ଓ ଭାଇ ସହିତ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠେଇଥିଲେ । ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରୁ କିଶୋରଙ୍କୁ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ଉଚ୍ଚକୋଟୀର ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ପଠେଇ ଦିଆଯାଇଥିଲା । ସେଠାରେ ଚିକିତ୍ସା ପାଇଁ ଥାନାର ଏଫଆଇଆର କପି ଦରକାର ପଡିବାରୁ କିଶୋରଙ୍କ ଆଈ ଭସ୍ମା ଥାନାକୁ ବାରମ୍ବାର ଦୌଡିବା ପରେ ମଧ୍ୟ ତାଙ୍କୁ ଏଫଆଇଆର କପି ମିଳି ନ ଥିଲା । କିଶୋର ଗରିବ ପରିବାରର ହୋଇ ଥିବାରୁ ଏବଂ ତାଙ୍କର ଚିକିତ୍ସା ପାଇଁ ଟଙ୍କାର ଅଭାବ ଯୋଗୁଁ ବୁର୍ଲା ଡାକ୍ତରଖାନାରୁ ତାଙ୍କୁ ଡ଼ିସଚାର୍ଜ କରିଦେଲେ । କିଶୋରଙ୍କ ଆଈ କିଶୋରଙ୍କୁ ନେଇ ଯୋଗୀମାଲ ସ୍ଥିତ ତାଙ୍କ ଘରକୁ ଚାଲି ଆସିଲେ । ଯୋଗୀମାଲ ଗ୍ରାମରେ କିଶୋରଙ୍କ ଦେହ ଧୀରେ ଧୀରେ ବିଗିଡ଼ିବାକୁ ଲାଗିଥିଲା । ବର୍ତ୍ତମାନ ସେ କଥା କହି ପାରୁ ନ ଥିବାରୁ ଏବଂ ତାର ଦୁଇଟି ଯାକ ଗୋଡ଼ ଅକାମି ହୋଇ ସେ ଚାଲି ପାରୁ ନ ଥିବାରୁ କିଶୋରଙ୍କ ଆଇ ଏବଂ ଗ୍ରାମର କେତେ ଜଣ ସ୍ତ୍ରୀ ଲୋକ ତାଙ୍କୁ ସୁନ୍ଦରଗଡ଼କୁ ଆଣି ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କୁ ଦେଖା କରି ସବୁ ବିଷୟରେ କହିଥିଲେ । ସବୁ କଥା ଶୁଣିବା ପରେ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ କିଶୋର ଓ ତାଙ୍କ ଆଇ ଏବଂ ଅନ୍ୟ ସ୍ତ୍ରୀଲୋକ ମାନଙ୍କୁ ଜିଲ୍ଲାପାଳଙ୍କ ଅଫିସକୁ ଆଣିଥିଲେ । ସେଠାରେ ଶ୍ରୀ ତ୍ରିପାଠୀ ପ୍ରଥମେ କିଶୋର ଓ ଅନ୍ୟ ମାନଙ୍କୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ( ଏସପି ) ସୁଶ୍ରୀ ସାଗରିକା ନାଥଙ୍କୁ ଦେଖା କରି ସବୁ ବିଷୟ କହିବା ପରେ ତୁରନ୍ତ ଏସପିଙ୍କ ପଦକ୍ଷେପ ଦ୍ୱାରା ଭସ୍ମା ଥାନା କର୍ତ୍ତୃପକ୍ଷ ଏଫଆଇଆର କପି କିଶୋରଙ୍କ ଘରକୁ ଆଣି ଦେଇଥିଲେ । ଏହା ପରେ ଶ୍ରୀ ତ୍ରିପାଠୀ କିଶୋରଙ୍କୁ ନେଇ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ଦେଖା କରି ସବୁ କଥା କହିଥିଲେ । ଯେହେତୁ କିଶୋର ବିପିଏଲ ପରିବାରର ସଦସ୍ୟ ହୋଇ ଥିବାରୁ ତାଙ୍କୁ ରେଡ଼କ୍ରସ ପାଣ୍ଠିରୁ ତିରିଶ ( 30,000 ) ହଜାର ଟଙ୍କା ସାହାଯ୍ୟ ଏବଂ ତାଙ୍କର ସମସ୍ତ ଚିକିତ୍ସା ବିଜୁ ସ୍ୱାସ୍ଥ୍ୟ ଯୋଜନାରେ କରେଇବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ସବୁ ବିଷୟ ଶୁଣିବା ପରେ ଜିଲ୍ଲାପାଳ ନିଜେ ତାଙ୍କ କାର୍ଯ୍ୟାଳୟରୁ ବାହାରକୁ ଆସି କିଶୋରଙ୍କୁ ଦେଖି ଦୁଃଖ ପ୍ରକାଶ କରିବା ସହିତ ସାଙ୍ଗେ ସାଙ୍ଗେ ତିରିଶ ହଜାର ଟଙ୍କା ରେଡ଼କ୍ରସରୁ ସାହାଯ୍ୟ ଦେବା ସହିତ କିଶୋର ସମସ୍ତ ଚିକିତ୍ସା ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ହେବ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ । ଏହିପରି ତୁରନ୍ତ ପଦକ୍ଷେପ ନେଇ ଗୋଟିଏ ଗରିବ ପରିବାରକୁ ସାହାଯ୍ୟ କରିଥିବାରୁ ବିଜେଡିର ଏହି ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ସହିତ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଜନ୍ମଜୟ ମହାପାତ୍ର, ଅନ୍ୟତମ ସାଧାରଣ ସମ୍ପାଦକ ଗୋପ ମହାନ୍ତି, ପୂର୍ବତନ ନଗରପାଳ ବେଣୁଧର ତଣ୍ଡିଆ, ଜିଲ୍ଲା କୃଷକ ସେଲର ସମ୍ପାଦକ ସୁନୀଲ ମହାପାତ୍ର, ବିଜେଡି ଯୁବ ନେତା ନିର୍ମଳ ବୋଷ,ଏମଡି କଲିମ, ଅନିଲ ମହାପାତ୍ର,ପ୍ରଦୀପ ବିଶ୍ୱକର୍ମା,ବରୁନ ବାଗ, ତ୍ରିଲୋଚନ କାକ, ପଙ୍କଜ ଶ୍ରେଷ୍ଠ, ମୁକେଶ ପଟେଲ, ଅଭୟ କୁଲୁ,ଅନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here