ସବଡେଗା,୨୨।୭ (ଓଡିଶାମେଲ): ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକର ଜଗତଗଡଛକ ଠାରେ ଚାଲିଛି ଜମି ମାଫିଆଙ୍କ ଗୁଣ୍ଡାରାଜ । ସେମାନେ ଦୀର୍ଘଦିନରୁ ଜଗତଗଡ ରାସ୍ତା କଡରେ କିଛି ସରକାରୀ ଜମିରେ ଢ଼ାବା କରି ଧୀରେ ଧୀରେ ଢ଼ାବାକୁ ଲାଗିକି ଥିବା ପଟ୍ଟା ଜମିଗୁଡିକୁ ମଧ୍ୟ ଜବର ଦଖଲ କରି ଚାଲିଛନ୍ତି । ପଟ୍ଟାଧାରୀମାନେ ବାରଣ କରିବାରୁ ସେମାନଙ୍କୁ ନାଲି ଆଖି ଦେଖାଉଛନ୍ତି । ଏ ନେଇ ପଟ୍ଟାଧାରୀମାନେ ସବଡେଗା ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେ । ସବଡେଗା ତହସିଲଦାର ଉକ୍ତ ଜାଗାକୁ ଯାଇ ପଟ୍ଟାଧାରୀଙ୍କ ଜମି ଚିହ୍ନଟ କରି ଜବରଦଖଲକାରୀଙ୍କୁ ଛାଡିବାକୁ ତହସିଲଦାର କହିଥିଲେ । ହେଲେ ଜମି ମାଫିଅ।ମାନେ ଜମି ଛାଡିନଥିଲେ । ପରେ ପଟ୍ଟାଧାରୀ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ହୋଇଥିଲେ । ଉପଜିଲ୍ଲାପାଳ ସବଡେଗା ତହସିଲଦାର ଓ ପୋଲିସକୁ ଚିଠିକରି ଉକ୍ତ ଜାଗାରେ ୧୪୪ ଧାରା ଜାରି କରିବା ସହ ସରକାରୀ ଜାଗାରୁ ଜବରଦଖଲ ଉଛେଦ କରିବାକୁ ଆଦେଶ ଦେଇଥିଲେ । ଆଜି ପୋଲିସ ଓ ତହସିଲ କର୍ମଚାରୀ ଯାଇ ଉକ୍ତ ଜାଗାରେ ୧୪୪ ଧାରା ଜାରି କରି ଜମି ଭିତରକୁ ପଶିବା ପାଇଁ ଜବରଦଖଲକାରୀଙ୍କୁ ମନା କରିଥିଲେ । ରାସ୍ତା କଡରେ ସରକାରୀ ଜମି ଜବରଦଖଲ କରି ଢ଼ାବା କରି ପ୍ରତିଦିନ ସେଠାରେ ଅସାମାଜିକ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି । ଏମାନଙ୍କ ପାଇଁ ଅଞ୍ଚଳରେ ଚୋରି ମଧ୍ୟ ବଢି ଚାଲିଛି । ସନ୍ଧ୍ୟା ହେଲେ ଢ଼ାବା ସାମନାରେ ଟ୍ରକ ଗୁଡିକ ରାସ୍ତାକୁ ଲାଗି ଛିଡା କରୁଥିବାରୁ ଦୁର୍ଘଟଣା ଘଟୁଛି । ଏସବୁ ବେଆଇନ ଦଖଲକାରୀଙ୍କୁ ତୁରନ୍ତ ହଟାଇବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here