ଲୋଇସିଂହା,୨୩ ।୭(ଓଡ଼ିଶାମେଲ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ପଥଋଗଡ ଡ୍ୟାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ।ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସାନଟିକା ଗାଁର ବିକାଶ ସୁନାଙ୍କୁ ଗୁରୁତର ଅବସ୍ଥାରେ ଗୁରୁବାର ସକାଳେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଲୋଇସିଂହା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ଅପରପକ୍ଷେ ବିକାଶଙ୍କ ସାଙ୍ଗରେ ଥିବା ଅନନ୍ତ ନାଗ ନିଖୋଜ ଥିବା ନେଇ ଲୋଇସିଂହା ଥାନାରେ ତାଙ୍କ ସ୍ତ୍ରୀ ନୟମି ନାଗ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଡ୍ୟାମକୁ ଯାଇ ଖୋଜାଖୋଜି କରୁଥିବା ଆଇଆଇସି ରମାକନ୍ତ ଜେନା ପ୍ରକାଶ କରିଛନ୍ତି ।
ପୋଲିସ ସୂଚନା ଅନୁସାରେ, ଆଗଲପୁର ବ୍ଲକ ସାନଟିକା ଗାଁର ବିକାଶ ସୁନା ଓ ଅନନ୍ତ ନାଗ ସମ୍ପର୍କରେ ଶଳା ଭିଣୋଇ । ବୁଧବାର ଅପରାହ୍ନରେ ବିକାଶ ଓ ଅନନ୍ତ ଏକ ଟାଙ୍ଗିଆ ନେଇ ପଥରଗଡ ଡ୍ୟାମକୁ ଜାଳେଣି କାଠ ସଂଗ୍ରହ କରି ଯାଉଥିବା ଘରେ କହିଥିଲେ । ସେମାନଙ୍କ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଚିନ୍ତିତ ହୋଇ ପଡିଥିଲେ । ସନ୍ଧ୍ୟାରେ ନୟମି ନାଗ, ଜଳେଶ୍ୱର ସୁନା, ନୟନା କୁମ୍ଭାର ଓ ମୋହନ କୁମ୍ଭାର ପ୍ରମୁଖ ଡ୍ୟାମକୁ ଖୋଜିବାକୁ ଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ସୁଦ୍ଧା ସେମାନଙ୍କ ସନ୍ଧାନ ପାଇ ପାରି ନ ଥିଲେ । ଗୁରୁବାର ସକାଳେ ଡ୍ୟାମ ନିକଟସ୍ଥ ତାଙ୍କ ଜମି ନିକଟରେ ବିକାଶ ଗୁରୁତର ଅବସ୍ଥାରେ ପଡିଥିବା ପରିବାର ଲୋକେ ଜାଣିବାକୁ ପାଇ ଘଟଣାସ୍ଥଳକୁ ଯାଇଥିଲେ । ବିକାଶଙ୍କ ପିଠି ଓ ହାତରେ ବିଦ୍ୟୁତ ଆଘାତ ଲାଗିଥିବାବେଳେ ଗୋଡରେ କୌଣସି ଅସ୍ତ୍ରରେ କାଟିଲଳା ଭଳି ଦାଗ ରହିଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପାଇଁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ ଘଟଣା ସ୍ଥଳରେ ଅନନ୍ତଙ୍କ ପତ୍ତା ମିଳି ନ ଥିଲା । ଆଖପାଖରେ ବହୁ ଖୋଜାଖୋଜି କରି ନ ପାଇବା ପରେ ତାଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here