ଲୋଇସିଂହା,୨୫।୭(ଡି.ଏନ.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର ଆଗଲପୁର, କୁଟାସିଂହା ଓ ନୁନିଆଁପାଲି ପଞ୍ଚାୟତର ଚାଷୀ ୨୦୨୦-୨୧ ଖରିବ ଫସଲ ବୀମା ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଗତ ନଭେମମ୍ବର ୨୦୨୦ରେ କୃଷି, ରାଜସ୍ୱ ଏବଂ ଏଆରସିସି କମ୍ପାନୀ ପକ୍ଷରୁ ଶସ୍ୟକାଟ କରି ମାପ କରାଯାଇଥିଲା । ମାପ ପରେ ଉପରୋକ୍ତ ପଞ୍ଚାୟତର ଚାଷୀ କୃଷି ବୀମା ପାଇବାକୁ ଯୋଗ୍ୟ ବୋଲି ସେତେବେଳେ କୁହାଯାଇଥିଲା । ଦୀର୍ଘ ମାସ ପରେ ସହାୟତା ନ ମିଳିବାରୁ ପଞ୍ଚାୟତ ଅଧୀନ ଚାଷୀମାନେ ସହାୟତା ପାଇଁ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ସୁଦ୍ଧା ସୁଫଳ ପାଇ ନ ଥିବା କହିଛନ୍ତି । ଏହି କ୍ରମରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୨୧ ଜଣିଆ ଚାଷୀ ପ୍ରତିନିଧି ଭୁବନେଶ୍ୱର ଆରସିଏସ ମୁଖ୍ୟ ସୁଶାନ୍ତ କୁମାର ବାରିକ ଓ କୃଷି ବୀମା କମ୍ପାନୀ ମୁଖ୍ୟ ବିଷ୍ଣୁ ପ୍ରକାଶ ଜେନାଙ୍କୁ ଭେଟି ସମସ୍ୟା ଜଣେଇଥିଲେ । ଅଭିଯୋଗ ଶୁଣି ଆରସିଏସ ମୁଖ୍ୟ ଶ୍ରୀ ବାରିକ ଏବଂ ବୀମା କମ୍ପାନୀ ମୁଖ୍ୟ ଶ୍ରୀ ଜେନା ସମସ୍ୟା ସମାଧାନ କରି ସହାୟତା ପ୍ରଦାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କଥା ଦେଇଥିଲେ । ଚାଷୀ ପ୍ରତିନିଧିଙ୍କ ମଧ୍ୟରେ ରାମଚନ୍ଦ୍ର ପଟେଲ, ନାରାୟଣ ସାହୁ, ଅନୁପ ସିଂଦେଓ, ଗଣେଶ ପାଣ୍ଡେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here