ଭଟଲି,୨୫ା୭(ଓଡ଼ିଶାମେଲ)- ଆଜି ସମଗ୍ର ଭାରତବର୍ଷ ପାଳନ କରୁଛି ୨୨ତମ କାରଗିଲ ବିଜୟ ଦିବସ । ୧୯୯୯ ମସିହା ଆଜିର ଦିନରେ ଭାରତ କାରଗିଲ ଯୁଦ୍ଧରେ ବିଜୟ ଲାଭ କରିଥିଲା । ଏହି ଯୁଦ୍ଧରେ ଦେଶ ମାତୃକାକୁ ଶତୃ କବଳରୁ ରକ୍ଷା କରିବାକୁ ଯାଇ ଅନେକ ଯବାନ ସେମାନଙ୍କର ପ୍ରାଣର ଆହୁତି ଦେଇ ଶହୀଦ ହୋଇଯାଇଛନ୍ତି । ସେହି ଶହୀଦ ହୋଇଥିବା ଯବାନମାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳୀ ସ୍ୱରୁପ ଆଜି ଦିବସକୁ କାରଗିଲ ବିଜୟ ଦିବସ ପାଳନ କରାଯାଏ । ତେବେ ୨୨ ବର୍ଷ ତଳେ ସେହି କାରଗିଲ ଅପରେସନ ସମୟରେ ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ସୁଲୁସୁଲିଆ ଗ୍ରାମର ବୀର ଯବାନ ଭୁବନେଶ୍ୱର ବାରିକ ସାମିଲ ହୋଇ ଶତୃ ପକ୍ଷଙ୍କ ଗୁଳିରେ ଆହତ ହୋଇଥିଲେ । ବୀରଗଡ ଅଞ୍ଚଳ ଭାବେ ଏକଦା ବିଦିତ ଥିବା “ବରଗଡ” ଜିଲ୍ଲାର ଡେବ୍ରିଗଡ ଅଞ୍ଚଳ ଦେଶର ସୁରକ୍ଷା ଦିଗରେ ସ୍ୱାଧିନତା କାଳରେ ଯେଉଁଭଳି ଅଗ୍ରଣୀ ଭୁମିକା ନେଇଆସିଥିଲା, ସେହିଭଳି କାରଗିଲ ଅପରେସନ ସମୟରେ ମଧ୍ୟ ଏ ଅଞ୍ଚଳର ବୀର ସଂଗ୍ରାମୀ ବରପୁତ୍ର ଭୁବନେଶ୍ୱର ବାରିକ ମାଁ ମାଟିକୁ ସୁରକ୍ଷାଦେବା ପାଇଁ ରକ୍ତ ଦେଇ ଭଟଲି ତଥା ଡେବ୍ରିଗଡ ମାଟିକୁ ପୁଣିଥରେ ଗର୍ବିତ କରିଥିଲେ । ଭଟଲି ଠାରୁ ପ୍ରାୟ୧୧ କିଲୋମିଟର ଦୂର ନୂଆଁଗଡ ପଞ୍ଚାୟତ ଅନ୍ତର୍ଗତ ସୁଲସୁଲିଆ ଗ୍ରାମରେ ଜନ୍ମିତ ଭୁବନେଶ୍ୱର ୧୯୯୯ କାରଗିଲ ଅପରେସନ ବିଜୟ ସମୟରେ ଶତୃମାନଙ୍କ ସହିତ କାଶ୍ମିର ଦ୍ରାସ ସେକ୍ଟରରେ ପାକିସ୍ତାନୀ ଅନୁ ପ୍ରବେଶକାରୀଙ୍କ କବଳରୁ ଦେଶ ମାତୃକାର ସୁରକ୍ଷା ଦେବାକୁ ଯାଇ ଯୁଦ୍ଧ କରୁଥିବା ସମୟରେ ଜୁନ ୧୩ ତାରିଖ ଦିନ ଶତୃଙ୍କ ଗୁଳିରେ ତାଙ୍କ ବାମ ପାଖ ଛାତି, ବାମ ଗୋଡ ଏବଂ ଆଣ୍ଠୁରେ ଗୁଳି ବାଜି ଆହତ ହୋଇଥିଲେ । ସେତେବେଳେ ମାତ୍ର୍ର୍ର ୨୭ ବର୍ଷ ବୟସରେ ପଦାର୍ପଣ କରିଥିବା ଭୁବନେଶ୍ୱର ପଉଘଞ୍ଚା ନଦେଇ ନିଜର ରକ୍ତ ଦେଇ ଦେଶ ମାତୃକାକୁ ବିଜୟୀ କରିବାରେ ଆଗେଇ ଆସିଥିଲେ । ସେ ସମୟରେ ତାଙ୍କୁ ସମଗ୍ର ପଶ୍ଚିମାଞ୍ଚଳରୁ ମିଳିଥିଲା ତାଙ୍କୁ ଅପୂର୍ବ ସମ୍ମାନ, ସମ୍ମର୍ଦ୍ଧନା ତଥା ସମର୍ଥନ । ତାଙ୍କ ବୀରଯୋଦ୍ଧାର ମାନସିକତାକୁ ସେତେବେଳେ ମିଳିଥିଲା ଯଥୋଚିତ ସମ୍ମାନ । ତେଣୁ ସେହି ସମ୍ମାନ ଓ ବୀରତ୍ୱର ବାର୍ତ୍ତା ତାଙ୍କୁ ସେସମୟରେ ଶତୃପକ୍ଷଙ୍କ ସହିତ ଯୁଦ୍ଧ କରିବା ପାଇଁ ଅପୂର୍ବ ବଳ ଯୋଗାଇଥିଲା । ସେହି ବୀର ଯବାନ ଏବେ ମଧ୍ୟ ନିଜ ଅଞ୍ଚଳର ଯୁବକ ମାନଙ୍କୁ ସେହି ସମୟର ଘଟିଥିବା ଅଭୁଳା ସ୍ମୃତିକୁ ବଖାଣୀବା ସହିତ ମାଁ ମାଟି ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଉତ୍ସାହ ପ୍ରଦାନ ପୂର୍ବକ ପରାମର୍ଶ ଦିଅନ୍ତି । ସେହି ଅବସରପ୍ରାପ୍ତ ଯବାନ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ମଧ୍ୟ ତାଙ୍କ ହୃଦୟ ଭିତରେ ଭରିରହିଛି ସେହି ଦେଶମାତୃକାର ସେବା କରିବାର ଚିନ୍ତା । ତେବେ ଏହି ଉତ୍ସାହ ତଥା ସେବା କରିବାର ଇଚ୍ଛା ଆଗମୀ ଯୁବପୀଢ଼ିଙ୍କୁ ଅଦମ୍ୟ ସାହାସ ଯୋଗାଇଦେବ ବୋଲି ଆଶା ।

LEAVE A REPLY

Please enter your comment!
Please enter your name here