• ସୁନ୍ଦରଗଡ,୨୭।୯(ଓଡିଶାମେଲ): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ବାଉରୀ ମୁଣ୍ଡା ଜୁନାଡିହି ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ରବିବାର ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।ପୁଅର ଅବୈଧ ପ୍ରେମ ସମ୍ପର୍କ ପାଇଁ ମାଆର ଜୀବନ ଯାଇଥିଲା ବେଳେ ବାପ ଗୁରୁତର ଅବସ୍ଥାରେ ଏବେ ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତା ବ୍ରୁଦ୍ଧାଙ୍କ ନାମ ହେଉଛି ବଛା ଓରାମ୍ (୬୫)।ଖବର ପାଇ ସଦର ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ସକାଶେ ସୁନ୍ଦରଗଡ ଜିଲା ମୁଖ୍ୟ ଡ଼ାକ୍ତର ଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଜୁନାଡିହି ଗ୍ରାମର କାର୍ତ୍ତିକ ଟିଆଙ୍କ ସ୍ତ୍ରୀଙ୍କ ସହ ଗ୍ରାମର ଜଣେ ଯୁବକ ବଳ ଓରାମଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଘଟଣା ଦିନ ସନ୍ଧ୍ୟାରେ ସ୍ତ୍ରୀ କୁ ପ୍ରେମିକ ସହ ଏକାଠି ଦେଖି କାର୍ତ୍ତିକ ହଠାତ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ପ୍ରେମିକ ବଳଙ୍କୁ ହାଣିବା ପାଇଁ ଗୋଡାଇ ଥିଲେ। ଏହି ସମୟରେ ବଳ ଦୌଡି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। କାର୍ତ୍ତିକ ବଳଙ୍କୁ ନ ପାଇ ତାଙ୍କ ଘରେ ପହଞ୍ଚି ଯାଇ ଥିଲେ। ମାତ୍ର ସେଠାରେ ବଳଙ୍କୁ ନ ଦେଖି ବଳଙ୍କ ମାଆ ଓ ବାପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ମାଆ ବଛା ଓରାମଙ୍କ ମୃତ୍ୟୁ ଘଟିଥିଲା।ବାପା ମାଧ ଓରାମ(୭୦)ଙ୍କୁ ଗୁରୁତର ଅଵସ୍ଥାରେ ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବର୍ତ୍ତମାନ ଫେରାର୍ ଥିବା ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here