ସୁନ୍ଦରଗଡ଼, ୨୭।୯ (ଓଡିଶାମେଲ): ଆଜି ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଏକ ତୃଣମୂଳ ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ର ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଦଘାଟିତ ହୋଇ ଯାଇଛି। ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ମୁଖ୍ୟଅତିଥି ଏବଂ ପ୍ରାକ୍ତନ କ୍ରୀଡ଼ା ଶିକ୍ଷୟତ୍ରୀ ସଂଯୁକ୍ତା ବହିଦାର, ପ୍ରାକ୍ତନ ପ୍ରଶାସକ ସନ୍ତୋଷ ଅମାତ୍ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀବତ୍ସ ଚୌଧୁରୀଙ୍କ ପୌରାହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତାଙ୍କ ସ୍ୱାଗତ ସମ୍ଭାଷଣରେ ପ୍ରଧାନଶିକ୍ଷକ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ ସହିତ କ୍ରୀଡ଼ାମେଧାକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ।ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର ବରିଷ୍ଠ ସଦସ୍ୟ ତଥା ଉପସଭାପତି ଚିତ୍ତରଞ୍ଜନ ବହିଦାର କ୍ରୀଡ଼ାସଂସଦ କିଭଳି ଭାବରେ ଜିଲ୍ଲାରେ କ୍ରୀଡ଼ାକୁ ଆଗକୁ ନାଉଛି ସେ ଉପରେ ଆଲୋକପାତ କରିଥିଲେ। ସଂସଦର ସଦସ୍ୟ ବିଶ୍ବରଂଜନ ହୋତା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରି ଏହା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳଙ୍କ ମାନସସନ୍ତାନ ବୋଲି ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସମ୍ମାନିତ ଅତିଥି ସନ୍ତୋଷ ଅମାତ ଓ ସଂଯୁକ୍ତା ବହିଦାର ନିଜ ବକ୍ତବ୍ୟରେ ବିଦ୍ୟାଳୟରେ କ୍ରୀଡ଼ା ସଂସଦ ଦ୍ଵାରା ଆରମ୍ଭ ହୋଇଥିବା ଏହି ପ୍ରୟାସ ପାଇଁ ସାଧୁବାଦ୍ ଜଣାଇଥିଲେ। ଏହି ପ୍ରୟାସ ଦ୍ଵାରା ଜିଲ୍ଲାରେ ଫୁଟବଲ୍ ର ନବପ୍ରତିଭା ଅନ୍ୱେଷଣ କରିବା ସହିତ ମେଧାକୁ ଅଧିକ ଶାଣିତ କରାଯାଇପାରିବ ବୋଲି ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ପ୍ରଭାତ କୁମାର ଭୋଳ ପ୍ରକାଶ କରିଛନ୍ତି। ଆଜି ଭଳି ଅନ୍ୟ ପାଞ୍ଚଟି ସ୍ଥାନ ଯଥା ସେଣ୍ଟ ମେରୀ ମିଶନ ବିଦ୍ୟାଳୟ, କିଂଜିର୍ମା, କୁଣ୍ଡୁକେଲା, ବାଲିଶଙ୍କରା ଓ ସବଡେଗା ରେ ଅକ୍ଟୋବର ୧୫ ତାରିଖ ଭିତରେ ଆରମ୍ଭ ହେବାର ସୂଚନା ଫୁଟବଲ୍ ସଂପାଦକ ନିତ୍ୟ କୁମାର ବଳଙ୍କ ଠାରୁ ପ୍ରାପ୍ତ ହୋଇଛି। ପ୍ରକାଶ ଯୋଗ୍ୟ ଯେ ଆଜିର ଏହି ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ ଘାଟନ ସମୟରେ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ଫୁଟବଲ୍, ଜର୍ସି, ଜୋତା, ମୋଜା ଏବଂ କୋନ ଯୋଗାଇ ଦିଆଯାଇଛି । ମୁଖ୍ୟଅତିଥି ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ତାଙ୍କ ବକ୍ତବ୍ୟରେ ଜିଲ୍ଲାରେ କ୍ରୀଡ଼ାର ଅଗ୍ରଗତି କ୍ଷେତ୍ରରେ କ୍ରୀଡ଼ା ସଂସଦର ଭୂମିକାରେ ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଲାରେ କ୍ରୀଡ଼ାର ଉନ୍ନତି ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ନେଉଥିବା ପଦକ୍ଷେପ ଗୁଡ଼ିକୁ ଜିଲ୍ଲା ପ୍ରଶାସନ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାର ପ୍ରତିଶୃତି ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ସଂସଦର ସହସଂପାଦକ ଜୟଦେବ ପାତ୍ର, ଉପସଭାପତି ରାଜେନ୍ଦ୍ର ମହାନ୍ତି,ଫୁଟବଲ୍ ସଂପାଦକ ନିତ୍ୟ କୁମାର ବଳ, ସଦସ୍ୟ ବିରମିତ୍ର କାଲୋ ଓ ପ୍ରଶିକ୍ଷକ ସମାପ୍ଟେନ୍ଦୁ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ୱାଗତିକା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ନନ୍ଦିତା ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଶିକ୍ଷାର୍ଥୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ବାଳକ ଓ ବାଳିକାଙ୍କ ପୃଥକ୍ ପ୍ରଦର୍ଶନୀ କବାଡି ଖେଳ ଏବଂ ଏକ ଫୁଟବଲ୍ ମ୍ୟାଚ୍ ଆୟୋଜିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here