ଭଟଲି, ୨୫।୧୦ (ଓଡିଶାମେଲ): ଦୀର୍ଘ ପ୍ରାୟ ୧୯ ମାସ ପରେ ବିଦ୍ୟାଳୟ ଗୁଡିକରେ ଅଷ୍ଟମ ଶ୍ରେଣୀ ସୋମବାର ଠାରୁ ଖୋଲିଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ଏସଓପି ମଧ୍ୟ ଜାରି ହୋଇଛି । କୋଭିଡ କଟକଣା ପାଳନ ପୂର୍ବକ ବିଦ୍ୟାଳୟ ପରିଚାଳନା କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବାବେଳେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଉକ୍ତ ନିୟମ ମାନି ବିଦ୍ୟାଳୟ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଶାନ୍ତି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ନୂଆଁଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପିଲାଙ୍କୁ ପ୍ରଥମେ ସାନିଟାଇଜ କରି ଥର୍ମାଲ ସ୍କାନରରେ ତାପମାତ୍ରା ମପାଯାଇଥିଲା । ପରେ ସେମାନଙ୍କୁ ଫୁଳ ଚନ୍ଦନ ଲଗାଇ ଓ ମିଷ୍ଟାନ୍ନ ଦେଇ ପୁଷ୍ପବୃଷ୍ଟି କରି ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀ କୋଠରୀକୁ ପ୍ରବେଶ କରାଯାଇଥିଲା ।

 

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ୧୯ ମାସ ଭିତରେ କିଭଳି ପାଠ ପଢୁଥିଲେ ଓ ଆଉ ସବୁ କ’ଣ କରୁଥିଲେ ପଚରାଯାଇଥିବା ବେଳେ ସେସବୁ ଅଭିଜ୍ଞତା ଛାତ୍ରଛାତ୍ରୀମାନେ ବର୍ଣ୍ଣନା କରିଥିଲେ । ଆସନ୍ତା କାଲି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ କରି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଅଭିମୁଖି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here