ଲୋଇସିଂହା,୨୭।୧୦ (ଓଡିଶାମେଲ): କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣା ଚର୍ଚ୍ଚା ଥମିନି l ଅପରପକ୍ଷେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସକମା ସ୍ଥିତ ଯୁବୋଦୟ କଲେଜର ଲେଡି ହଷ୍ଟେଲର ଗୋଟିଏ କୋଠରୀରୁ ଜଣେ ଯୁକ୍ତଦୁଇ ଦ୍ଵିତୀୟ ବର୍ଷ ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ମୃତା ଛାତ୍ରୀ ଜଣକ ବରଗଡ଼ ଜିଲ୍ଲା ବୁଡେନ ଥାନା ଦହିତା ଗ୍ରାମର ଆଶା ମେହେର ବୋଲି ଜଣାପଡିଛି । ମଙ୍ଗଳବାର ବିଳମ୍ଵିତ ରାତିରେ ମାଜିଷ୍ଟ୍ରେଟ ଓ ମୃତା ଛାତ୍ରୀଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ପଠାଇଛି l ଘଟଣାର ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି l ଏହାକୁ ନେଇ ବୁଧବାର ମୃତଦେହ ବ୍ୟବଚ୍ଛେଦରେ ବିଳମ୍ୱ ହୋଇଥିଲା । ଆଜି ସନ୍ଧ୍ୟାରେ ପୋଲିସ ପରିବାର ବର୍ଗକୁ ମୃତଦେହ ହସ୍ତାନ୍ତର କରିଛି l ପୋଲିସ ସୂଚନା ଅନୁସାରେ, ଦଶହରା ଛୁଟି ପରେ ଗତ ୨୦ ତାରିଖରେ ଆଶା କଲେଜକୁ ଫେରିଥିଲେ l ମଙ୍ଗଳବାର ତାଙ୍କ କ୍ଲାସ ନ ଥିବାରୁ ସେ ଏକାକୀ ହଷ୍ଟେଲର ନିଜ କୋଠରୀରେ ରହିଥିଲେ l ସହପାଠୀମାନେ କ୍ଲାସକୁ ଯିବା ପରେ ସେ ହଷ୍ଟେଲର ସହପାଠୀଙ୍କ କୋଠରୀକୁ ଆସି ବେକରେ ଓଢ଼ଣୀ ଲଗାଇ ସିଲିଂ ପଙ୍ଖାରେ ଝୁଲି ପଡ଼ିଥିଲେ । ଅପରାହ୍ନ ସାଢେ ୪ଟାରେ କ୍ଲାସ ସାରି ସହପାଠୀ ଏହା ଦେଖି ୱାଡେନଙ୍କୁ ସୂଚନା ଦେଇଥିଲେ l ଖବର ପାଇ କଲେଜ କର୍ତ୍ତୃପକ୍ଷ ଲୋଇସିଂହା ଥାନାକୁ ଯାଇ ଉକ୍ତ ଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ସଦର ଏସଡିପିଓ ତୋଫାନ ବାଗ, ଆଇଆଇସି ରମାକାନ୍ତ ଜେନା ଓ ଏସଆଇ ନବୀନ ଭୋଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ l ଏ ନେଇ ଲୋଇସିଂହା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୨୫/୨୧) ରୁଜୁ ହୋଇଛି l ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ ବୋଲି ଏସ୍ଡ଼ିପିଓ ଶ୍ରୀ ବାଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଏହି ଘଟଣାପରେ ଛାତ୍ରଛାତ୍ରୀ ଭୟଭୀତ ହୋଇପଡିଛନ୍ତି l ଆଜି ଅନେକ ଛାତ୍ରଛାତ୍ରୀଙ୍କୁ ଅଭିଭାବକ କଲେଜକୁ ଆସି ନେଇ ଯାଉଥିବା ଦେଖିବାକୁ ମିଳିଥିଲା l ଅପର ପକ୍ଷେ କଲେଜ ପକ୍ଷରୁ ଏହା ଏକ ଦୁର୍ଘଟଣା କହି ଘଟଣାକୁ ହାଲକା ଭାବେ ନିଆଯାଇଛି l କଲେଜକୁ ଆସୁଥିବା ଅଭିଵାବକଙ୍କୁ ଗେଟ ବାହାରେ ରହିବା ପାଇଁ କୁହାଯିବାରୁ ଅନେକ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here