ବିଜେପୁର, ୨|୧୨(ଓଡିଶାମେଲ) – ବରଗଡ଼ ଜିଲ୍ଲା ବିଜେପୁର ବ୍ଲକରେ ସରକାରୀ ଧାନ କ୍ରୟ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି। ସ୍ଥାନୀୟ ସହର ଉପକଣ୍ଠସ୍ଥିତ କେଉଁଟିପାଲି ଧାନ ମଣ୍ଡିକୁ ବିଡିଓ ତ୍ରୁପ୍ତୀମୟୀ ବରେଇ, ତହସିଲଦାର ଆର୍ତ୍ତତ୍ରାଣ ଥାଟି ମିଳିତ ଭାବେ ଉଦଘାଟନ କରିଥିଲେ। ଉକ୍ତ ମଣ୍ଡିରେ ଚଳିତବର୍ଷ ପ୍ରଥମ ଭାବେ ବିଜେପୁର ସୋସାଇଟିର ଧାନ ଗୁଡିକୁ କଲଂଗାପାଲିର ସ୍ବୟଂ ସହାୟିକା ଗୋଷ୍ଠୀ କ୍ରୟ କରୁଥିବାବେଳେ କେଉଁଟିପାଲିର ଅନ୍ୟ ମଣ୍ଡିରେ ଏମ. ଶ୍ରୀଗିଡା ସମବାୟ ସମିତି ଧାନ କ୍ରୟ କରିବାର ଧାର୍ଯ୍ୟ ହୋଇଥିବା ଜଣାପଡିଛି। ଅପରପକ୍ଷରେ ଚଳିତ ବର୍ଷ ମଣ୍ଡିରେ ବେପାରୀ ଧାନ ବିକ୍ରିକୁ ଚାଷୀଗଣ ତୀବ୍ର ବିରୋଧ କରିଛନ୍ତି। ଆବଶ୍ଯକ ବର୍ଷା ଅଭାବରୁ ଅଣଜଳସେଚିତ ବିଜେପୁର ବ୍ଲକରେ ଚଳିତ ଖରିଫ ଫସଲ ଉଜୁଡ଼ି ଯାଇଛି।

ଚାଷୀଭାଇ ନିଜ ବିଲରୁ ବୁଣିଥିବା ବିହନ ଧାନ ଅମଳ କରିବା ମଧ୍ଯ କଷ୍ଟକର ହୋଇ ପଡିଛି। ଏଭଳି ପରିସ୍ଥିତିରେ ବେପାରୀ ଅସାଧୁ ଉପାୟରେ ମଣ୍ଡିରେ ଧାନ ବିକ୍ରି କରିବାକୁ ଯୋଜନା କରୁଛନ୍ତି। ତେଣୁ ଏହାକୁ ଦ୍ରୁଢ ଭାବେ ଚାଷୀ ସଂଗଠନ ବିରୋଧ କରିଛି। ସ୍ଥାନୀୟ କୃଷକ ସଂଗଠନର ସଭାପତି ଜୟନ୍ତ ଗଡତୀୟାଙ୍କ ନେତୃତ୍ବରେ ରଣଜିତ ପଟେଲ, ରଜନୀ ଗଡତୀୟା, ବନୋଦ ପରିଡାଙ୍କ ସମେତ ବହୁ ଚାଷୀ ବିଡିଓ ଓ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଧାନ କ୍ରୟ କେନ୍ଦ୍ର ଖୋଲା ଯାଉଛି। ଏହାକୁ ବନ୍ଦ କରି ହେବ ନାହିଁ। ବରଂ ଚାଷୀଗଣ ସଜାଗ ରହିଲେ ବେପାରୀ ଏଠାରେ ବସ୍ତାଏ ମଧ୍ଯ ଧାନ ବିକ୍ରି କରି ପାରିବ ନାହିଁ ବୋଲି ଉଭୟ ପ୍ରଶାସନିକ ଅଧିକାରୀ ପ୍ରକାଶ କରିଥିବା ଜଣାପଡିଛି। ସେହିପରି ଏହି ବ୍ଲକର ଜାରିଂ, ବୁଡାପାଲି, ଅର୍ଡା, ଲାଉମୁଣ୍ଡା, ସାଇପାଲି, ବଡବ୍ରାହ୍ମଣୀ,ଖରମୁଣ୍ଡା, ଭଟିଗାଁରେ ଧାନ ମଣ୍ଡି ଆରମ୍ଭ ହୋଇ ଯାଇଛି।

 

LEAVE A REPLY

Please enter your comment!
Please enter your name here