ଚୌଦ୍ୱାର (ଓଡ଼ିଶାମେଲ): ଓଡ଼ିଶାର ସର୍ବବୃହତ୍‍ ଲୁଗାକଳ ଭାବେ ପରିଚିତ ଥିଲା କଟକ ଜିଲା ଚୌଦ୍ୱାରର ଓଡ଼ିଶା ଟେକ୍ସଟାଇଲ ମିଲ୍‍ (ଓଟିଏମ୍‍) । ଏହି ଶିଳ୍ପ ପାଇଁ ଚୌଦ୍ୱାର ଓଡ଼ିଶା ଓ ସାରା ଦେଶରେ ପରିଚିତ ଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି କମ୍ପୋଜିଟ୍‍ ଲୁଗାକଳ ବନ୍ଦ ହେବାର ଇତିମଧ୍ୟରେ ୨୦ ବର୍ଷ ବିତିଯାଇଛି । ଏହାର ପୁନରୁଦ୍ଧାର ଓ ବକେୟା ପ୍ରାପ୍ୟକୁ ଅପେକ୍ଷା କରି ପ୍ରାୟ ୪ ହଜାର ଶ୍ରମିକ ଓ କର୍ମଚାରୀ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ବକେୟା ପ୍ରାପ୍ୟ ନ ପାଇ ସେମାନେ ଦୁଃଖ ଦୁର୍ଦ୍ଦଶାରେ ରହିଛନ୍ତି । ସେହିପରି ୩୦ଜଣ ଶ୍ରମିକ ଆତ୍ମହତ୍ୟା କରିବା ସହ ୬୧୮ରୁ ଊଦ୍ଧ୍ୱର୍ ଶ୍ରମିକ ମୃତ୍ୟୁବରଣ କଲେଣି । ଆଉ କେତେକ ଶ୍ରମିକ ଓଟିଏମ୍‍ର ଭଙ୍ଗାରୁଜା କ୍ୱାର୍ଟର୍ସରେ ପଡିରହି ଦିନ ଗଣୁଛନ୍ତି ।
ପରିଚାଳନାଗତ ତ୍ରୁଟି ଯୋଗୁ ୨୦୦୧ ମସିହାରୁ ଓଟିଏମ୍‍ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଏହାର ଭାଗ୍ୟ ଆଇନର ଜାଲରେ ଫଶି ଯାଇଛି । ବର୍ତ୍ତମାନ ସୁଦ୍ଧା ଓଟିଏମ୍‍ ମାମଲା କୋର୍ଟରେ ବିଚାରାଧୀନ ରହିଛି । ଅନ୍ୟପକ୍ଷେ ଓଟିଏମ୍‍ ଭିତ୍ତିଭୂମି ଉପରେ ଏକ ବିକଳ୍ପ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି । ଓଟିଏମ୍‍ ଖୋଲିବା ପାଇଁ ସମସ୍ତ ରାଜନୈତିକ ଦଳ କେବଳ ପ୍ରତିଶ୍ରୁତି ଦେଇଚାଲିଛନ୍ତି । ଇତିମଧ୍ୟରେ ୧୯ ବର୍ଷ ବିତିଯାଇଥିଲେ ସୁଦ୍ଧା ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ । ତଥାପି ସରକାରଙ୍କ ଉପରେ ଆଶା ଭରସା ରଖିଛନ୍ତି ଚୌଦ୍ୱାର ଅଞ୍ଚଳବାସୀ । ଓଟିଏମ୍‍ ପୁନରୁଦ୍ଧାର ଦାବିରେ ଶ୍ରମିକମାନେ ଓଟିଏମ୍‍ ମୁଖ୍ୟ ଫାଟକ ସାମ୍ନାରେ ଦୀର୍ଘ ୧୫ବର୍ଷ ଧରି ଦିବାରାତ୍ର ଧାରଣା ଦେଇଆସୁଛନ୍ତି । କିଛି ଶ୍ରମିକ ଭୁବନେଶ୍ୱର ସ୍ଥିତ ବୟନଶିଳ୍ପ ନିର୍ଦ୍ଦେଶାଳୟ ଆଗରେ ଅଢେଇ ବର୍ଷ ହେବ ଧାରଣାରେ ଦେଇଛନ୍ତି । ତଥାପି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିନାହିଁ ।
ସୂଚନାଯୋଗ୍ୟ, ୧୯୪୬ ମସିହାରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଓଟିଏମ୍‍ର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ନିର୍ମାଣ କାମ ଆରମ୍ଭ କରାଯାଇଥିଲା । ୧୯୫୦ ମସିହାରୁ ଓଟିଏମ୍‍ରୁ ପ୍ରଥମ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ପରିଚାଳନାଗତ ତ୍ରୁଟି ଦେଖାଦେଇଥିଲା । ୧୯୮୧ ମସିହାରେ ତତ୍‍କାଳୀନ ମାଲିକ ପ୍ରତାପ ସିଂହ ଓ ପରିଚାଳନା ନିର୍ଦ୍ଦେଶକ ଅଶୋକ ପ୍ରତାପ ସିଂହ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଶ୍ରମିକ ସଂଖ୍ୟା ୭ ହଜାରକୁ ବୃଦ୍ଧି କରିଥିଲେ । ଫଳରେ କାରଖାନା କ୍ଷତିର ସମ୍ମୁଖୀନ ହୋଇଥିଲା ବୋଲି ଚର୍ଚ୍ଚା ହୋଇଛି । ଆଇଡିବିଆଇ ବ୍ୟାଙ୍କରୁ ୨ କୋଟି ଟଙ୍କା ଋଣ କରି ଏଠାରେ ଏକ ଗଞ୍ଜି କାରଖାନା ପ୍ରତିଷ୍ଠା କରିବା ପାଇଁ ଅଶୋକ ସିଂହ ଭିତ୍ତିଭୂମି ପ୍ରସ୍ତୁତ କରିଥିବା ବେଳେ ତତ୍‍କାଳୀନ କଂଗ୍ରେସ ସରକାର ଲୋନ୍‍ ପାଇଁ ଗ୍ୟାରେଣ୍ଟର ହେବାକୁ ମନା କରିଦେଇଥିଲେ । ଫଳରେ ଅଶୋକ ସିଂହ ଓଟିଏମ୍‍କୁ ୨୮/୪/୧୯୮୧ରେ ବନ୍ଦ କରିଦେଇଥିଲେ । ଏହାପରେ ରାଜ୍ୟ ସରକାର ଆଇଡିଆର ଆକ୍ଟ ଅନୁସାରେ ଓଡିଶା ଟେକ୍ସଟାଇଲ କର୍ପୋରେଶନ ଗଠନ କରି ମିଲ୍‍କୁ ନିଜ ହାତକୁ ନେଲେ ଏବଂ ସରକାରୀ ପରିଚାଳନାରେ ୧୯୮୧ରୁ ୧୯୮୩ ପର୍ଯ୍ୟନ୍ତ ମିଲ୍‍ ଚାଲିଲା । ଏହାପରେ ଧୀରେ ଧୀରେ କମ୍ପାନୀର କ୍ଷତି ପରିମାଣ ୪୦ କୋଟିରୁ ଊଦ୍ଧ୍ୱର୍କୁ ଟପିଯାଇଥିଲା । ଫଳରେ ୨୦୦୧ ମସିହାରେ କମ୍ପାନୀ ବନ୍ଦ ହୋଇଯାଇଥିଲା । ୨୦୦୧ରୁ ଲିକ୍ୟୁଡେଶନ ପ୍ରକ୍ରିୟାରେ କମ୍ପାନୀକୁ ହାଇକୋର୍ଟକୁ ହସ୍ତାନ୍ତର କରାଯାଇଥିଲା । ମାତ୍ର ୨୦୧୭ ମସିହାରୁ ହାଇକୋର୍ଟରେ ଓଟିଏମ୍‍ର କେଶ୍‍ ତାରିଖ ଉଠି ନ ଥିବା କୁହନ୍ତି ଆନ୍ଦୋଳନକାରୀମାନେ । ଓଟିଏମ୍‍ କାରଖାନା ଓ ଶ୍ରମିକମାନଙ୍କ ପ୍ରତି ରାଜ୍ୟ ସରକାର ବର୍ଷ ବର୍ଷ ଧରି ବୈମାତୃକ ମନୋଭାବ ପୋଷଣ କରୁଥିବା ବେଳେ ବହୁ ଶ୍ରମିକ ଭୋକ ଉପାସରେ ରହିଛନ୍ତି । ଓଟିଏମ୍‍ ସ୍ଥାନରେ ନୂତନ ଶିଳ୍ପ ପ୍ରତିଷ୍ଠା ହେଲେ ଏ ଅଞ୍ଚଳର ବେକାରୀ ସମସ୍ୟା ଦୂର ହେବା ସହ କେବିକେ ଜିଲାର ୫ ହଜାରରୁ ଊଦ୍ଧ୍ୱର୍ କପାଚାଷୀ ସେମାନଙ୍କ ଉତ୍ପାଦନର ସହାୟକ ମୂଲ୍ୟ ପାଇପାରିବେ ବୋଲି ଓଟିଏମ୍‍ ବଞ୍ଚାଓ ସଙ୍ଗଠନର ନେତା ଦୀପକ କୁମାର ବାରିକ କୁହନ୍ତି ।

LEAVE A REPLY

Please enter your comment!
Please enter your name here