ଚାଷୀଙ୍କୁ ସହାୟତାରୁ ବଞ୍ଚିତ କରିବା ଲାଗି ଜିଲା ପ୍ରଶାସନର ଏକ ଚାଲ୍‍

ଲୋଇସିଂହା, ୨୮ ।୭(ଓଡ଼ିଶାମେଲ): ୨୦୧୯-୨୦ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ମିଳିବା ଜାଣି ଚାଷୀ ଖୁସି ହୋଇଥିଲେ । ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ପକ୍ଷରୁ ଗାଁମାନଙ୍କରେ ଏକ ନୋଟିସ ଜାରି ହେବା ପରେ ଏବେ ଚାଷୀଙ୍କ ଉତ୍ସାହ ପାଣିଚିଆ ହୋଇଯାଇଛି । ଚାଷୀଙ୍କୁ ସହାୟତାରୁ ବଞ୍ଚିତ ଉଦ୍ଦେଶ୍ୟରେ ବୀମା କମ୍ପାନୀ ଓ ଜିଲା ପ୍ରଶାସନର ମଧୁ ଚନ୍ଦ୍ରିକାରେ ଏପରି ନୋଟିସକୁ ନେଇ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବୀମା ବେଳେ ଦିଆଯାଇଥିବା ସତ୍ୟ ପାଠ ବଳରେ ସହାୟତା ଦେବାକୁ ତହସିଲଦାରଙଙ୍କୁ ମଙ୍ଗଳବାର ଅନୁରୋଧ କରାଯାଇଛି । ନଚେତ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି । ଅଭିଯୋଗ ଅନୁସାରେ, ଲୋଇସିଂହା ବ୍ଲକର ଚାଷୀମାନେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ । ସେତେବଳେ ରୟାଲ ସୁନ୍ଦରମ ବୀମା କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଚାଷୀମାନେ ଖତିୟାନ କପି, ପ୍ଲଟ ନମ୍ବର, ସତ୍ୟପାଠ (ବ୍ୟକ୍ତିଗତ ଘୋଷଣା ନାମା), ଆଧାରକାର୍ଡ, ବ୍ୟାଙ୍କ ପାସ ବହି କପି ଇତ୍ୟାଦି ଦେଇ ଅନଲାଇନ ଜରିଆରେ ବୀମା ଟଙ୍କା ପୈଠ କରିଥିଲେ । ପଞ୍ଚାୟତ ଅନୁସାରେ ହୋଇଥିବା କ୍ଷତି ହିସାବରେ ଏବେ ଚାଷୀଙ୍କୁ ସହାୟତା ଦିଆଯିବା କଥା । ହେଲେ ସହାୟତା ରାଶି ବଣ୍ଟନ ପୂର୍ବରୁ ତହସିଲ ପକ୍ଷରୁ ଗତ ୧୪ ତାରିଖରେ ଯେଉଁ ଖତିୟାନ ପ୍ଲଟ ଗୁଡିକରେ ପରିବାରର ଏକାଧିକ ସଦସ୍ୟଙ୍କ ଦ୍ୱାରା ବୀମା କରାଯାଇଛି । ସେମାନେ ସହମତି ଭିତ୍ତିରେ ଭାଗ କରି ପୁର୍ନବାର ସତ୍ୟପାଠ କରି ପଞ୍ଚାୟତ ସ୍ତରୀୟ କମିଟିର ସଦସ୍ୟଙ୍କଠାରେ କପି ଦାଖଲ କରିବାକୁ କୁହାଯାଇଛି । ନଚେତ ସହାୟତା ପାଇବାରୁ ବଞ୍ଚିତ ହେବେ ବୋଲି ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି । ବର୍ତ୍ତର୍ମାନ ଚାଷବାସ ସମୟ । ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ମହାମାରୀ କରୋନା କଟକଣା ଜାରି କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ କୌଣସି ସରକାରୀ ସଂକ୍ରାନ୍ତୀୟ ଅଭିଯୋଗ ଅନଲାଇନ ତଥ।। ହ୍ୱାଟ୍‍ସଆପ୍‍ ମାଧ୍ୟମରେ ଅଭିଯୋଗ କରିବାକୁ ଜିଲାପାଳ ଆହ୍ୱାନ ଦେଇଛନ୍ତି । ଏଭଳି ସମୟରେ ଚାଷୀମାନଙ୍କୁ ସତ୍ୟପାଠ କରି ଦାଖଲ କରିବା ପାଇଁ କୁହାଯିବା ଜିଲା ପ୍ରଶାସନର ଦୋମୁହାଁ ନୀତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ସହାୟତାରୁ ବଞ୍ଚିତ ଓ ହଇରାଣ ହରକତ ଉଦ୍ଦେଶ୍ୟରେ ଜିଲା ପ୍ରଶାସନର ଏକ ଚାଲ ବୋଲି ରେଙ୍ଗାଲି ସମିତିସଭ୍ୟ ବ୍ୟାସଦେବ ଥନାପତି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜିଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here