ଲାଠୋର,(ଓଡ଼ିଶାମେଲ) ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା । ଜଙ୍ଗଲ ନ ରହିଲେ ବନ୍ୟପ୍ରାଣୀ ମଧ୍ୟ ଲୁପ୍ତ ହୋଇଯିବେ । ଯିଏ ଜଙ୍ଗଲ ଧ୍ୱଂସ କରିବ ସେ ଭୋଗିବ । ଯିଏ ବନ୍ୟପ୍ରାଣୀଙ୍କୁ ହତ୍ୟା କରିବ ସେ ମଧ୍ୟ ନିଜେ ଅସୁବିଧାରେ ପଡିବ ବୋଲି ଏଭଳି ଅନେକ ସ୍ଲୋଗାନ ଦେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ନିଆରା ମଣିଷ ହେଉଛନ୍ତି ଗୁପ୍ତେଶ୍ୱର ଧରୁଆ ।
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମରେ ବାସ କରନ୍ତି ଗୁପ୍ତେଶ୍ୱର । ସେ ପିଲାଟି ଦିନରୁ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ମସଗୁଲ । କୌଣସି ଲୋକ ଗଛ କାଟିଲେ କି ବନ୍ୟପ୍ରାଣୀଙ୍କୁ ହତ୍ୟା କଲେ ସେ ପ୍ରତିକ୍ରିୟାଶୀଳ ହୋଇଉଠନ୍ତି । ଗଛ କାଟୁଥିବା ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି । ବିନା କାରଣରେ ଗଛ କାଟୁଥିବା ଲୋକଙ୍କୁ ଗଛ କାଟିବାରୁ କ୍ଷାନ୍ତ ହେବାକୁ ମଧ୍ୟ ସେ ଚେତାବନୀ ଦିଅନ୍ତି । ତାଙ୍କ ଉଦ୍ୟମ ଯୋଗୁ ବହୁ ଜଙ୍ଗଲ ନଷ୍ଟ ହେବାରୁ ରକ୍ଷା ପାଇଯାଇଛି । କେବଳ ଜଙ୍ଗଲ ବଞ୍ଚାଇବା ନୁହେଁ ବନ୍ୟପ୍ରାଣୀଙ୍କୁ ଖାଦ୍ୟ ମଧ୍ୟ ଦେଇଥାନ୍ତି ଗୁପ୍ତେଶ୍ୱର । ଖରାଦିନେ ଯେପରି ବନ୍ୟପ୍ରାଣୀ ପାଣି ପାଇଁ ଅସୁବିଧା ନ ଭୋଗିବେ ସେଥିପାଇଁ ସେ ନିଜ ଜମି ନିକଟରେ କୂଅ ଖୋଳି ପାଣି ବ୍ୟବସ୍ଥା କରୁଛନ୍ତି । କୌଣସି ବ୍ୟକ୍ତି ଜଙ୍ଗଲରୁ ଘରେ ପାଳିବା ପାଇଁ ପଶୁପକ୍ଷୀ ଆଣିଲେ ଗୁପ୍ତେଶ୍ୱର ତାଙ୍କ ଘରକୁ ଯାଇ ତାଙ୍କୁ ବୁଝେଇ ସେହି ପ୍ରାଣୀଙ୍କୁ ଜଙ୍ଗଲରେ ଛାଡି ଦିଅନ୍ତି । ବର୍ତ୍ତମାନ ସେ ମାଳପଡା ସ୍ଥିତ ଦାଦା ସାହେବ ଡେମୋକ୍ରାଟିକ୍‍ ୟୁଥ୍‍ ଆସୋସିଏଶନ ସୋସିଆଲ ଇକୁଆଲିଟି ଯୁବ ଅନୁଷ୍ଠାନର ସଭାପତି ଦାୟିତ୍ୱ ବହନ କରୁଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କୁହନ୍ତିି, ବନ ଓ ବନପ୍ରାଣୀଙ୍କ ସୁରକ୍ଷା ପାଇଁ ଆଗକୁ ଆହୁରି ସଚେତନତା କାର୍ଯ୍ୟକ୍ରମ କରାଯିବ । ଲୋକଙ୍କ ମନରେ ବନ୍ୟପ୍ରାଣୀଙ୍କ ପ୍ରତି ପ୍ରେମ ଭାବନା ସୃଷ୍ଟି କରାଯିବ । ଏହି ଅଞ୍ଚଳକୁ ସବୁଜିମା ଭରା ବନ୍ୟପ୍ରାଣୀ ଅଭୟାରଣ୍ୟ କରି ଗଢି ତୋଳିବା ଲକ୍ଷ୍ୟ ରହିଥିବା ଗୁପ୍ତେଶ୍ୱର କୁହନ୍ତି ।

LEAVE A REPLY

Please enter your comment!
Please enter your name here